ଛେଳି ସେନା ଲିଭାଇବେ ନିଆଁ : ପର୍ତ୍ତୁଗାଲ

277
ADVERTISEMENT

ପର୍ତ୍ତୁଗାଲ ,୨୧/୮(ଏଜେନସି) :ଆପଣ ସେନାବାହିନୀରେ ମଣିଷ ଓ ଡଗ ସ୍କ୍ୱାର୍ଡଙ୍କୁ ଦେଖିଥିବେ । କିନ୍ତୁ ଏବେ ପର୍ତ୍ତୁଗାଲ ଛେଳିଙ୍କୁ ନେଇ ସେନାଟିଏ ଗଠନ କରିବାକୁ ଯାଉଛି ଯେଉଁ ଛେଳିମାନେ ନିଆଁ ଲିଭାଇବାରେ ସରକାରଙ୍କୁ ସାହାଯ୍ୟ କରିବେ ମିଳିଥିବା ସୂଚନା ମୁତାବକ ପର୍ତ୍ତୁଗାଲ ଜଙ୍ଗଲରେ ଲାଗୁଥିବା ନିଆଁକୁ କାବୁ କରିବା ପାଇଁ ଛେଳିମାନଙ୍କୁ ନିୟୋଜିତ କରାଯିବ। ପର୍ତ୍ତୁଗାଲ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ପ୍ରଭୂତ କ୍ଷତି ହୋଇଥାଏ ଯାହାକୁ ନେଇ ସେଠାକାର ଜନସାଧାରଣ ଓ ସରକାର ଚିନ୍ତାରେ ପଡିଯାଇଥାନ୍ତି । ତେଣୁ ଏହାକୁ ପ୍ରତିହତ କରିବା ପାଇଁ ଏବେ ସରକାର ଛେଳିଙ୍କୁ ବ୍ୟବହାର କରିବାକୁ ଯାଉଛନ୍ତି। ଆପଣ ଭାବିବେ କିଭଳି ଏହି ଛେଳିମାନେ ନିଆଁ ଲିଭାଇବେ । ପୂର୍ବରୁ ପର୍ତ୍ତୁଗାଲର ଗ୍ରାମୀଣ ଅଂଚଳରେ ବହୁ ସଂଖ୍ୟାରେ ଛେଳି ପାଳନ କରାଯାଉଥିଲା ଯାହାଫଳରେ ଛେଳିମାନେ ନିଜର ଖାଦ୍ୟ ପାଇଁ ପାଖରେ ଥିବା ଜଙ୍ଗଲ ଉପରେ ନିର୍ଭର କରୁଥିଲେ । ଯାହାଫଳରେ ଜଙ୍ଗଲ ଜନବସତି ଯାଏଁ ବୃଦ୍ଧି ପାଇପାରୁନଥିଲା। କିନ୍ତୁ ଯେତେବେଳେ ଲୋକମାନେ ଗାଁ ଛାଡି ସହର ଅଭିମୁଖେ ପଳାଇଗଲେ ସେତେବେଳେ ଜଙ୍ଗଲ ବଢ଼ିଯାଇ ଗାଁ ସହ ମିଶିଯାଇଥିଲା। କୌଣସି କାରଣରୁ ନିଆଁ ଲାଗିଲେ ତାହା ଜଙ୍ଗଲ ସହ ସମ୍ପୂର୍ଣ୍ଣ ଗାଁକୁ ଜାଳିପୋଡି ଛାରଖାର କରିଦେଉଥିଲା ।ଏହାକୁ ନଜରରେ ରଖି ପରୀକ୍ଷାମୂଳକ ଭାବେ ଯେତେବେଳେ ଏଠାକାର ସରକାର ଗୋଟିଏ ଗାଁରେ ଛେଳି ସଂଖ୍ୟା ବଢାଇଥିଲେ ସେଠାରେ ଆଉ ନିଆଁ ଲାଗିପାରିନଥିଲା । ଯାହାକୁ ଦେଖି ସରକାର ଏବେ ଛେଳି ପାଳନ ଉପରେ ଗୁରୁତ୍ୱ ଦେବାକୁ ଲାଗିପଡିଛନ୍ତି ।

Advertisement