ନୂଆଦିଲ୍ଲୀ, ୧୫/୮ (ଏଜେନସି ) : ଗୁରୁବାର ଦିନ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଗୋଟାଏ ରୁଷୀୟ ଯାତ୍ରୀବାହୀ ବିମାନ ଝାଙ୍କେ ପକ୍ଷୀଙ୍କ ସହ ଧକ୍କା ଖାଇବାରୁ ରାଜଧାନୀ ‘ମସ୍କୋ’ ପାଖରେ ଥିବା ଗୋଟାଏ ମକ୍କା ବିଲରେ ଜରୁରୀ ଅବତରଣ କରିଛି। ବିମାନର ଉଭୟ ଇଞ୍ଜିନ୍ ମଧ୍ୟକୁ ପକ୍ଷୀଗୁଡ଼ିକ ଶୋଷି ହୋଇ ପଶି ଯାଇଥିଲେ ବୋଲି ଏୟାର୍ଲାଇନ୍ ଏବଂ ଏୟାର୍ ଟ୍ରାନ୍ସ୍ପୋର୍ଟ ଏଜେନ୍ସି କହିଛି। ୨୩୩ ଯାତ୍ରୀଙ୍କୁ ଧରି ‘ଉରାଲ୍ ଏୟାର୍ଲାଇନ୍ସ୍’ର ୩୨୧ ଏୟାର୍ବସ୍ ଉଡ଼ାଣ ଆରମ୍ଭ କରିବା ପରେ ଝାଙ୍କେ ଗଲ୍ ଚଢ଼େଇଙ୍କ ସହ ଧକ୍କା ଖାଇବାରୁ ଏହାର ଇଞ୍ଜିନ୍ରେ ତ୍ରୁଟି ଦେଖା ଦେଇଥିଲା। ପାଇଲଟ୍ମାନେ ବାଧ୍ୟ ହୋଇ ଦକ୍ଷିଣ-ପୂର୍ବ ମସ୍କୋ ଠାରେ ଥିବା ଝୁକୋଭ୍ସ୍କି ଆନ୍ତର୍ଜାତିକ ବିମାନ ବନ୍ଦର ଠାରୁ ଗୋଟିଏ କିଲୋମିଟର ଦୂର ମକା ବିଲରେ ଅବତରଣ କରିଥିଲା । ଅବତରଣ କରିବା ପରେ ବିମାନରୁ ତୁରନ୍ତ ଯାତ୍ରୀମାନଙ୍କୁ ବାହାରକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଅନ୍ୟୂନ ୨୩ ଜଣ ଆହତ ହୋଇଥିବା କଥା କୁହାଯାଉଛି । ଉରାଲ୍ ଏୟାର୍ଲାଇନ୍ସ୍ର ସାଧାରଣ ନିର୍ଦେଶକ ସର୍ଗେଇ ସ୍କୁରାତୋଭ୍ କହିଛନ୍ତି: ଝୁକୋଭସ୍କି ଠାରେ ଜରୁରୀ ଅବତରଣ କରାଯାଇଛି । ଉଭୟ ଇଞ୍ଜିନ୍ ମଧ୍ୟକୁ ଚଢ଼େଇମାନେ ପଶିଯାଇଛନ୍ତି। ଇଞ୍ଜିନ ଦୁଇଟି ବନ୍ଦ ହୋଇଯିବାରୁ ଜରୁରୀ ଅବତରଣ କରାଇଥିଲେ।



















