କୋଦଳା,୨୯/୫(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜେଇ ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲସରା ପୋଲିସ ଗଞ୍ଜେଇ ସମେତ ତିନି ଚାଲାଣ କାରିଙ୍କୁ ଗିରଫ କରିଛି। ତିନୋଟି ଜରି ବ୍ୟାଗରେ ଥିବା ୭୨.୬୦୦ କିଲୋଗ୍ରାମ ଗଞ୍ଜେଇ , ଗୋଟିଏ ଡଷ୍ଟର କାର ଏବଂ ତିନୋଟି ମୋବାଇଲ ଫୋନ ଆସାମି ମାନଙ୍କ ଠାରୁ ଜବତ ହୋଇଥିବା ଆଜି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲିକ ।
ସାମ୍ବାଦିକ ମାନଙ୍କୁ ଦିଆଯାଉଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ପୋଲସରା ଥାନାର ଏସ ଆଇ ଅଜୟ କୁମାର ମଲିକ ଓ ଅନ୍ୟ ପୋଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରିବା ସମୟରେ ମଥୁରା ନିକଟବର୍ତ୍ତୀ ମାରଦା ମନ୍ଦିର ନିକଟରେ ଗୋଟିଏ ରିନଲ୍ଟ ଡଷ୍ଟର କାର ନମ୍ବର ଓଡି ୦୨ ଏସ୍ ୮୦୨୯ କାରକୁ ସନ୍ଦେହ ରେ ଅଟକାଇ ଯାଞ୍ଚ୍ କରିଥିଲେ। ଯାଞ୍ଚ୍ ସମୟରେ ସେଥିରେ ତିନୋଟି ଜରି ଅଖାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଫଳରେ କାରରେ ବସିଥିବା ପୋଲସରା ବ୍ଳକ ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ରବିନ୍ଦ୍ର ସାହୁ ଓ ତୋଫାନ ପ୍ରଧାନ ଏବଂ ଲକ୍ଷ୍ମଣ ପଲ୍ଲୀ ଗ୍ରାମର କାର୍ତ୍ତିକେଶ୍ୱର ସାହୁ ଙ୍କୁ ଗିରଫ କରି ସେମାନଙ୍କୁ ଜେରା କରିବାରୁ ଉକ୍ତ ଗଞ୍ଜେଇ କୁ କନ୍ଧମାଳ ଠାରୁ ଆଣି ପଶ୍ଚିମବଙ୍ଗ ନେଉଥିବା ସ୍ୱୀକାର କରିଥିଲେ ବୋଲି ସୂଚନା ଦେଇଛନ୍ତି !ଉକ୍ତ ତିନିଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଜେରା ବେଳେ ଜବତ ଗଞ୍ଜେଇ କନ୍ଧମାଳ ଅଞ୍ଚଳରୁ ଆଣି ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳକୁ ନେଉଥିବା କହିଥିବା ପୋଲିସ ସୂଚନା ଦେଇଛି। ଏଥି ସହିତ ଆହୁରି ଅନେକ ଏହି କାରବାର ରେ ଜଡିତ ଅଛନ୍ତି, ଅତିଶୀଘ୍ର ସେମାନଙ୍କ ଧରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

















