ନୂଆଦିଲ୍ଲୀ , ୧୦/୦୮(ଏଜେନସି ) : କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲେ ବି ଏଯାବତ୍ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ । ଆଜି ପୂର୍ବାହ୍ନରେ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି) ବୈଠକରେ କଂଗ୍ରେସ ଅଧ୍ୟକ୍ଷ ଭାବେ କାହାରିକୁ ବଛା ହୋଇପାରି ନାହିଁ । ରାତି ୮.୩୦ରେ ହେବାକୁ ଥିବା ଦ୍ୱିତୀୟ କାର୍ଯ୍ୟକାରୀ ବୈଠକରେ ଏହି ନିଷ୍ପତ୍ତି ଚୂଡ଼ାନ୍ତ ହେବ । ରାତି ୯ଟା ସୁଦ୍ଧା ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି । ତେବେ, ଅଧ୍ୟକ୍ଷ ବାଛିବା ପାଇଁ କରାଯାଇଥିବା ସିଡବ୍ଲୁସି ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁପସ୍ଥିିତ ହୋଇପଡ଼ିବା ଦୃଷ୍ଟିରୁ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ । ରାହୁଲ ଓ ମାଆ ସୋନିଆ ଏହି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବା ପାଇଁ ବୈଠକ ଅଧାରୁ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ ।
‘ମୁଁ ଏହି ପ୍ରକ୍ରିୟାରେ ସାମିଲ୍ ହୋଇପାରିବି ନାହିଁ’ ବୋଲି ସୋନିଆ କହିଥିବା ବେଳେ ରାହୁଲ ତାଙ୍କ ସଂସଦୀୟ କ୍ଷେତ୍ର ଓ୍ଵାଏନାଡକୁ ବୁଲି ଯାଇ ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିବେ ବୋଲି କହି ବୈଠକ ଛାଡ଼ି ଉଠି ଯାଇଥିଲେ ।