ନୂଆଦିଲ୍ଲୀ,୧୦/୮(ଏଜେନସି) : ଯୁକ୍ତରାଷ୍ଟ୍ର ଆମେରିକାର ୧୦୨ ତାଲାବିଶିଷ୍ଟ ଏମ୍ପାୟାର୍ ଷ୍ଟେଟ୍ ବିଲ୍ଡିଙ୍ଗ୍ ଠାରୁ ବଡ଼ ଗ୍ରହାଣୁ ଶନିବାର ଦିନ ପୃଥିବୀ ପାଖ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ୨୦୦୬ କ୍ୟୁକ୍ୟୁ ୨୩ ନାମକ ଏହି ଗ୍ରହାଣୁର ବ୍ୟାସ ୧୮୭୦ ଫୁଟ୍ ଏବଂ ଉଚ୍ଚତା ୧୪୫୪ ଫୁଟ୍। ଘଣ୍ଟା ପ୍ରତି ୧୬,୭୪୦ କିଲୋମିଟର ବେଗରେ ଏହା ପୃଥିବୀ ନିକଟ ଦେଇ ଗତି କରିବ। ପୃଥିବୀ ଠାରୁ ଏହା ୭. ୪ ମିଲିୟନ୍ କିଲୋମିଟର୍ ମଧ୍ୟରେ ଥିବାରୁ ବିପଦ୍ର ସମ୍ଭାବନାର ରହିଛି ବୋଲି କୁହାଯାଉଛି। କିନ୍ତୁ ନାସାର ପ୍ଲାନେଟାରି ଡିଫେନ୍ସ୍ କୋଅର୍ଡିନେସନ୍ ଅଫିସ୍ ଗଣମାଧ୍ୟମକୁ କହିଛି ଯେ ଏହାର କ୍ଷୁଦ୍ରାକାର ହୋଇଥିବାରୁ ଏବଂ ପାଞ୍ଚ ମିଲିୟନ୍ ମାଇଲ୍ ଦୂରରେ ଥିବାରୁ ବିପଦ୍ର କୌଣସି ସମ୍ଭାବନା ନାହିଁ । ପୃଥିବୀ ଆଖପାଖର ପଦାର୍ଥ ଅନୁଧ୍ୟାନ ପାଇଁ ଥିବା ନାସାର ଜେପିଏଲ୍ କେନ୍ଦ୍ର କହିଛି ଯେ ସମ୍ପ୍ରତି ଏକ କିଲୋମିଟର୍ରୁ ଅଧିକ ବଡ଼ ପ୍ରାୟ ୯୦୦ ଗ୍ରହାଣୁ ଘୂରିବୁଲୁଛନ୍ତି। ଏଗୁଡ଼ିକ ୨୦୦୬ କ୍ୟୁକ୍ୟୁ ଠାରୁ ୨୩ ଯଥେଷ୍ଟ ବଡ଼। କିନ୍ତୁ ଆସନ୍ତା ୧୦୦ ବର୍ଷ ମଧ୍ୟରେ କୌଣସି ଗ୍ରହାଣୁ ପୃଥିବୀ ସହ ଧକ୍କା ଖାଇବାର ସମ୍ଭାବନା ନାହିଁ । ପ୍ରତିବର୍ଷ ପ୍ରାୟ ୨୦୦୬ କ୍ୟୁକ୍ୟୁ ୨୩ ଆକାର ଠାରୁ ଅଧା ଆକାରର ଅଧଡଜନ ମହାଜାଗତିକ ପଦାର୍ଥ ପୃଥିବୀ ପାଖ ଦେଇ ଅତିକ୍ରମ କରୁଛି । ଯଦି ପୃଥିବୀ ପ୍ରତି କୌଣସି ଗ୍ରହାଣୁ ବିପଦ ସୃଷ୍ଟି କରେ ତାହାକୁ ଶୂନ୍ୟେ ଶୂନ୍ୟେ ନଷ୍ଟ କରି ଦେବାର କ୍ଷମତା ରହିଛି ବୋଲି ନାସା କହିଛି।