୪ ଘଣ୍ଟା ପରେ ଦିଲ୍ଲୀରେ ପହଞ୍ଚିଲା ଓ୍ଵାଘା ଠାରେ ପାକିସ୍ତାନ ଦ୍ୱାରା ଅଟକିଥିବା ସମ୍‌ଝୌତା ଏକସ୍‌ପ୍ରେସ୍‌

204
ADVERTISEMENT

ନୂଆଦିଲ୍ଲୀ,୯/୮(ଏଜେନସି) : ଗୁରୁବାର ଦିନ ଓ୍ଵାଘା ସୀମାନ୍ତ ଠାରେ ପାକିସ୍ତାନ ସରକାରୀ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ଅଟକ ରହିଥିବା ସମ୍‌ଝୌତା ଏକ୍ସପ୍ରେସ୍‌ ଶୁକ୍ରବାର ସକାଳ ୮ଟା ବେଳେ, ନିର୍ଦ୍ଧାରିତ ସମୟ ଠାରୁ ସାଢ଼େ ଚାରିଘଣ୍ଟା ପରେ ଦିଲ୍ଲୀ ଷ୍ଟେସନ୍‌ରେ ପହଞ୍ଚିଥିବା କଥା ରେଳବାଇ କହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ଏହି ରେଳ ୪୮ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୧୧୭ଜଣ ଯାତ୍ରୀ ନେଇ ପହଞ୍ଚିଛି । ପାକିସ୍ତାନ ପଟ ଓ୍ଵାଘା ଠାରେ ଗୁରୁବାର ଦିନ ଏହି ଯାତ୍ରୀମାନେ ଅଟକି ରହିଥିଲେ। ନିରାପତ୍ତା କାରଣ ଦର୍ଶାଇ ପଡ଼ୋଶୀ ଦେଶର କର୍ତ୍ତୃପକ୍ଷମାନେ ରେଳ ଅଟକାଇଥିବା କଥା କହିଥିଲେ । ଟେନ୍‌ଟିକୁ ନିରାପଦରେ ଭାରତ ପଟ ଓ୍ଵାଘାରୁ ଅଟାରି ଯାଏଁ ଆଣିବାକୁ ଭାରତୀୟ ରେଳବାଇ ଗାର୍ଡ ଏବଂ କ୍ରୁ’ ସମେତ ଗୋଟିଏ ଇଞ୍ଜିନ୍‌ ପଠାଇଥିଲା । ଅଟାରି ଠାରୁ ଗୁରୁବାର ରାତି ପ୍ରାୟ ୮ଟା ବେଳେ ଟ୍ରେନ୍‌ ଅଟାରି ଛାଡ଼ିଥିଲା । ରେଳ ଚଳାଚଳ ବାତିଲ ହୋଇ ନ ଥିବା କଥା ରେଳବାଇ ଅଧିକାରୀମାନେ କହିଛନ୍ତି । ଏନେଇ ଇସଲମାବାଦ ପକ୍ଷରୁ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ଭାରତୀୟ କର୍ତ୍ତୃପକ୍ଷ କହିଛନ୍ତି।

Advertisement