ରାଜ୍ୟ କ୍ୟାବିନେଟ :ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ

139
ADVERTISEMENT

ଭୁବନେଶ୍ୱର,୧୨/୦୪(ଡ଼ି.ଏଚ/ବ୍ୟୁରୋ) : ଆଜି ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବାକୁ ଯାଉଛି। ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ। ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି। ଏଥିପାଇଁ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ୨ଶହ ୧୦ କୋଟି ଟଙ୍କା ଅନୁାଦନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ସରକାର ୨୦ ଏକର ଜମି ପ୍ରଦାନ କରିବେ । ୨୦୨୪ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ କର୍କଟରୋଗ ଚିକିତ୍ସାଳୟ ଆରମ୍ଭ ହେବ। ପରେ ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି କରାଯିବ। ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ ।
ସେହିପରି ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ଏହାଛଡ଼ା ଜିଲ୍ଲା ଜଜ କ୍ୟାଡର ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତି ସ୍ଥିର କରିବା ପାଇଁ ଓଏସଜେଏସ ଏବଂ ଓଜେଏସ ନିୟମାବଳୀ ସଂଶୋଧନକୁ ମଂଜୁରୀ ମିଳିଛି । ଏହାଛଡ଼ା ଏସସି/ଏସଟି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଅନ୍ୱେଷା ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି। ଆଗାମୀ ୫ ବର୍ଷ ଯାଏଁ ଏହି ଯୋଜନାକୁ ଚାଲୁ ରଖିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ୫ ବର୍ଷରେ ୫୬୯.୯୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଅପରପକ୍ଷରେ ଓଡ଼ିଶା ମଙ୍ଗଳ ସେବା( ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ)ର ସଂଶୋଧନ ବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ଶେଷ ପରେ ଏସଂପର୍କରେ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

Advertisement