Friday, September 4, 2026
ADVERTISEMENT
Home ଜାତୀୟ ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କଲା ପାକିସ୍ତାନ

ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କଲା ପାକିସ୍ତାନ

345
ADVERTISEMENT

ଇସ୍‌ଲାମାବାଦ,୦୮/୦୮(ଏଜେନସି ) : ଭାରତ ସହ ସମସ୍ତ ପ୍ରକାର କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି । ଏଥିସହ ଇସ୍‌ଲାମାବାଦରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ବହିଷ୍କାର କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଇସ୍‌ଲାମାବାଦସ୍ଥିତ ଅଫିସ୍‌ରେ ବୁଧବାର ଅନୁଷ୍ଠିତ ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି) ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି । ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପ୍ରତିବାଦରେ ପାକିସ୍ତାନ ଏପରି କରିଥିବା ଏକ ବିବୃତିରେ କୁହାଯାଇଛି । ଜମ୍ମୁ-କଶ୍ମୀରକୁ ନେଇ ଭାରତର ସଦ୍ୟ ପଦକ୍ଷେପ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏଥିଯୋଗୁ ଭାରତରେ ପୁଣି ପୁଲଓ୍ବାମା ଭଳି ଆକ୍ରମଣ ହେବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ମଙ୍ଗଳବାର ଧମକ ଦେଇ ଯୁଦ୍ଧଭୟ ଦେଖାଇଥିଲେ । ଏହାର ଦିନକ ପରେ ଏନ୍‌ଏସ୍‌ସି ବୈଠକରେ ସେ ଅଧ୍ୟକ୍ଷତା କରିଛନ୍ତି । ଏଥିରେ ସେଠାକାର ବହିର୍ବ୍ୟାପାର ମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ, କଶ୍ମୀର ବ୍ୟାପାରର ପରାମର୍ଶଦାତା, ତିନି ସେନା ମୁଖ୍ୟ, ଆଇଏସ୍‌ଆଇ ମୁଖ୍ୟଙ୍କ ସମେତ ଅନେକ ପ୍ରଶାସନିକ ଓ ସାମରିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ କଶ୍ମୀର ସମ୍ପର୍କରେ ଭାରତର ନିଷ୍ପତ୍ତିକୁ ଏକତରଫା ଓ ବେଆଇନ ବୋଲି ସେମାନେ ଅଭିହିତ କରିଥିଲେ । କଶ୍ମୀରୀଙ୍କ ସମର୍ଥନରେ ପାକିସ୍ତାନ ଅଗଷ୍ଟ ୧୪ରେ ସ୍ବାଧୀନତା ଦିବସ ପାଳନ କରିବ। ସେହିପରି ଭାରତର ସ୍ବାଧୀନତା ଦିବସ ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ସହ ଦ୍ୱିପକ୍ଷିକ ସମୀକ୍ଷା କରିବା ଏବଂ ଭାରତର ପଦକ୍ଷେପ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଆପତ୍ତି ଉଠାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ସୀମାରେ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ପାକିସ୍ତାନ ପାର୍ଲାମେଣ୍ଟର ଜରୁରିକାଳୀନ ମିଳିତ ଅଧିବେଶନରେ ଇମ୍ରାନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଫଓ୍ବାଦ୍‌ ଚୌଧ୍‌ରୀ କହିଥିଲେ, ଭାରତୀୟ ରାଷ୍ଟ୍ରଦୂତ ଏଠାରେ କାହିଁକି ଅଛନ୍ତି ଏବଂ ଆମ ରାଷ୍ଟ୍ରଦୂତ ସେଠାରେ କ’ଣ କରୁଛନ୍ତି । ଆମେ କାହିଁକି ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଛିନ୍ନ ନ କରିବା । ଯଦି କୌଣସି କୂଟନୀତି ନାହିଁ ତେବେ କୂଟନୀତିଜ୍ଞଙ୍କ ଉପରେ କାହିଁକି ଅର୍ଥ ବ୍ୟୟ କରିବା ବୋଲି ପ୍ରଶ୍ନ କରିଥିଲେ । ସେ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ଜଣେ ଭଲ ବ୍ୟକ୍ତି ଭାବେ ପ୍ରଶଂସା କରିଥିବାବେଳେ ଭାରତ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଥିଲେ । ଏହାର କିଛି ସମୟ ପରେ ପାକିସ୍ତାନ ଉଚ୍ଚାୟୁକ୍ତ ଅଜୟଙ୍କୁ ବହିଷ୍କାର କରିଥିବା ନେଇ ସେଠାକାର ବହିର୍ବ୍ୟପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଘୋଷଣା କରିଛନ୍ତି । ଭାରତରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତ ମୋଇନ୍‌-ଉଲ୍‌-ହକ୍‌ଙ୍କୁ ନୂଆଦିଲ୍ଲୀରୁ ପ୍ରତ୍ୟାହାର କରିନେଇଛି ଇସ୍‌ଲାମାବାଦ।

Advertisement