ମହାରାଷ୍ଟ୍ର ,୧୨/୩,(ଡ଼ି.ଏଚ/ବ୍ୟୁରୋ): ମହାରାଷ୍ଟ୍ର ବର୍ତ୍ତମାନ ଦେଶର କରୋନା ହଟସ୍ପଟ୍ ପାଲଟିଛି। ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ କଟକଣା ଲାଗୁ କରିବା ଆରମ୍ଭ କରିଛନ୍ତି। ନାଗପୁର ପରେ ମହାରାଷ୍ଟ୍ର ସରକାର ପର୍ଭାନି ଜିଲ୍ଳାରେ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି। ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ମଧ୍ୟରାତ୍ରିରୁ ସକାଳ ୬ଟା ପର୍ଯ୍ୟନ୍ତ ପୂରା ଅଞ୍ଚଳକୁ ସଟଡାଉନ୍ କରାଯିବ ବୋଲି ଶୁକ୍ରବାର କ୍ୟାବିନେଟ୍ ମନ୍ତ୍ରୀ ନୱାବ ମାଲିକ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ନାଗପୁରରେ ଏକ କଡ଼ା ଲକ୍ଡାଉନ୍ ଲାଗୁ ହେବା କଥା ଘୋଷଣା ହୋଇଛି। ମାର୍ଚ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଭିତରେ ରହିବ ନାଗପୁର । ସେହିପରି ମହାମାରୀ କରୋନାକୁ ଆୟତ୍ତ କରିବା ପାଇଁ ପୁଣେରେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ସେଠାରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି ସରକାର। ଏହି ସମୟରେ ହୋଟେଲ୍ ଓ ବାରଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ସହରର ସମସ୍ତ ସ୍କୁଲ୍, କଲେଜ୍ ବନ୍ଦ ମଧ୍ୟ ରହିବ ବୋଲି ସୂଚନା ରହିଛି। ମଲ୍ ଓ ଥିଏଟର୍ ଆଦି ରାତି ୧୦ଟା ସୁଦ୍ଧା ବନ୍ଦ ହେବାକୁ ଥିବା ବେଳେ ପାର୍କଗୁଡ଼ିକ ସଂଧ୍ୟାରେ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।




















