ଉତ୍ତର ପ୍ରଦେଶର ଗାଜିଆବାଦରେ କାରଖାନାରେ ଅଗ୍ନିକାଣ୍ଡ : ୧୪ଜଣ ବ୍ୟକ୍ତି ଆହତ

775
ADVERTISEMENT

ଗାଜିଆବାଦ,୧୨/୩,(ଡ଼ି.ଏଚ/ବ୍ୟୁରୋ): ଗୁରୁବାର ରାତିରେ ସାହିବାବାଦ ଶିଳ୍ପାଞ୍ଚଳର ୪ର୍ଥ ସାଇଟ୍‌ରେ ଡାକ୍ତରୀ ସରଞ୍ଜାମ ଉତ୍ପାଦନ କରୁଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୧୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଗାଜିଆବାଦର ବରିଷ୍ଠ ପୁଲିସ ସୁପରିଟେଣ୍ଡେଣ୍ଟ୍‌ କଳାନିଧି ନୈଥାନୀ କହିଛନ୍ତି, ଅଗ୍ନିକାଣ୍ଡ ଘଟଣାରେ ସମୁଦାୟ ୧୪ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କିନ୍ତୁ, ଏଥିରେ କାହାରି ପ୍ରାଣହାନୀ ହୋଇ ନାହିଁ।
ନିଆଁ ଲିଭାଇବା ଲାଗି ଘଟଣାସ୍ଥଳରେ କେତେଗୁଡ଼ିଏ ଦମକଳ ପହଞ୍ଚିବା ସହ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବା ଲାଗି ଏକାଧିକ ଆମ୍ବୁଲ୍‌ନ୍‌ସ୍‌ ପହଞ୍ଚିଥିଲେ। ଆହତ ବ୍ୟକ୍ତିମାନଙ୍କୁ ଗାଜିଆବାଦ ଓ ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ, ରାସାୟନିକ ପଦାର୍ଥ ଥିବା ଗୋଟାଏ ଡ୍ରମ୍‌ ଫାଟିବା ପରେ କାରଖାନାରେ ନିଆଁ ଲାଗିଥିଲା। ସେତେବେଳେ କାରଖାନାରେ ପ୍ରାୟ ୨୦ଜଣ ଲୋକ କାମ କରୁଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଜୟଶଙ୍କର ପାଣ୍ଡେ ଓ ସ୍ଥାନୀୟ ପୁଲିସ ମଧ୍ୟ ଉପସ୍ଥିତ ଥିଲେ। ନିଆଁ ଲିଭାଇବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା।

Advertisement