ନାଗପୁର,୧୧/୩,(ଡ଼ି.ଏଚ/ବ୍ୟୁରୋ): ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଗପୁର ସହରକୁ ସମ୍ପୂର୍ଣ୍ଣ ଲକଡାଉନ କରିଛନ୍ତି। ଗୁରୁବାର ମହାରାଷ୍ଟ୍ରର ନାଗପୁର ସହରରେ କରୋନାଭାଇରସ ସଂକ୍ରମଣ ବୃଦ୍ଧି ହେତୁ ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ସମୟରେ ପନିପରିବା, ଫଳ ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ଭଳି ଜରୁରୀ ସେବାକୁ ଅନୁମତି ଦିଆଯାଇଛି। ଗତ ଏକ ମାସ ହେଲାଣି ରାଜ୍ୟରେ ସଂକ୍ରମଣ ସଖ୍ୟା ବୃଦ୍ଧି ପାଉଥିବାରୁ ଆଗକୁ ଏକାଧିକ ଅଞ୍ଚଳକୁ ଲକଡାଉନ କରାଯାଇପାରେ। କିଛି ଦିନ ମଧ୍ୟରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ନାଗପୁର ପୁଲିସ କମିସନରେଟ୍ ଅଧୀନରେ ଆସୁଥିବା ସମସ୍ତ ଅଞ୍ଚଳକୁ ଲକଡାଉନ କରାଯାଇଛି ଏହି ଅଞ୍ଚଳରେ ଗତ ୨୪ଘଣ୍ଟାରେ ୧୮୦୦ଜଣ କରୋନା ଆକ୍ରାନ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ମହାରାଷ୍ଟ୍ରରେ ୨୪ଘଣ୍ଟା ମଧ୍ୟରେ ୧୩,୬୫୯ଜଣ କରୋନା ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ପରିସ୍ଥିତି ଦେଖି କୋଭିଡ କଟକଣା ଲଗାଇବାକୁ କହିଥିଲେ। ଏହା ପରେ ନାଗପୁରରେ ଲକଡାଉନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ସଂକ୍ରମଣ ବଢ଼ୁଥିବାରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ନାଗପୁରରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା। ହେଲେ ସଂକ୍ରମଣ ସଂଖ୍ୟା କମ ନହେବାରୁ ଏବେ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି।


















