କଶ୍ମୀରରେ ଗୁଳି ବିନିମୟ ଘଟି ଦୁଇଜଣ ଆତଙ୍କବାଦୀ ନିହତ

491
ADVERTISEMENT

ନୂଆଦିଲ୍ଲୀ,୧୧/୩,(ଡ଼ି.ଏଚ/ବ୍ୟୁରୋ): ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଗୁଳି ବିନିମୟ ଘଟି ଦୁଇଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଥିବା କଥା ଗୁରୁବାର ଦିନ ପୁଲିସ କହିଛି । ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ବୁଧବାର ରାତିରେ ପୁଲିସ ଓ ସେନା ଟିମ୍‌ ଅନନ୍ତନାଗ ଅନ୍ତର୍ଗତ କାଡ଼ିପୋରା ଗ୍ରାମରେ ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। ସେଠାରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ନିରାପତ୍ତା ବଳର କର୍ମଚାରୀମାନେ ପାଲଟା ଗୁଳି ଚଳାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ଗୁଳି ବିନିମୟ ଚାଲିଥିଲା। ଅନ୍ଧାର ମାଡ଼ି ଆସିଥିବାରୁ ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ତଲାସ ଅଭିଯାନ ସ୍ଥଗିତ ରଖାଯାଇଥିଲା। କିନ୍ତୁ, ସମ୍ପୃକ୍ତ ସ୍ଥାନ ସହ ସଂଯୁକ୍ତ ସମସ୍ତ ରାସ୍ତା ସିଲ୍‌ କରାଯାଇଥିଲା। ଗୁରୁବାର ସକାଳେ ପୁଣି ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ସୋପୋରର ତୁଜାର ଗାଁରେ ନିରାପତ୍ତା ବଳ ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ଚଳାଇ ‘ଅଲ୍‌ବଦର’ ମୁଖ୍ୟ ଅବ୍ଦୁଲ୍‌ ଗନି ଖ୍ଵାଜାଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଖସି ପଳାଇଥିଲେ। ପୁଲିସ କହିବା ଅନୁସାରେ, ଗନି ଖ୍ଵାଜା ପାକିସ୍ତାନରୁ ନୂଆ ଆତଙ୍କବାଦୀ ଟିମ୍‌ ଅଣାଇ ସେମାନଙ୍କୁ ଉତ୍ତର ଓ ଦକ୍ଷିଣ କଶ୍ମୀରରେ ମୁତୟନ କରୁଥିଲେ।

Advertisement