ନୂଆଦିଲ୍ଲୀ,୧୦/୩,(ଡ଼ି.ଏଚ/ବ୍ୟୁରୋ): ଆଜି ଅପରାହ୍ଣ ୪ଟା ବେଳେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
୨୦୧୩ ଫେବ୍ରୁଆରି ୯ ତାରିଖରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତୀରଥସିଂହ ରାଓ୍ଵାତ୍ ଉତ୍ତରାଖଣ୍ଡ ‘ବିଜେପି’ର ମୁଖ୍ୟ ଥିଲେ। ଏହା ବ୍ୟତିରେକେ, ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସେ ମଧ୍ୟ ଚୌବଟ୍ଟାଖାଲ ନିର୍ବାଚନ ମଣ୍ଡଳୀରୁ ଉତ୍ତରାଖଣ୍ଡ ବିଧାନସଭାର ବିଧାୟକ ଥିଲେ । ସମ୍ପ୍ରତି ସେ ଉତ୍ତରାଖଣ୍ଡ ଅନ୍ତର୍ଗତ ଗଢ଼ଓ୍ଵାଲ୍ର ସାଂସଦ ଅଛନ୍ତି । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ଛୋଟିଆ ଗାଁର ବାସିନ୍ଦା ମୋ ଭଳି ଜଣେ ତୁଚ୍ଛ କର୍ମୀଙ୍କ ଉପରେ ଭରସା ରଖିଥିବାରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଦଳର ମୁଖ୍ୟଙ୍କୁ ଧନ୍ୟବାଦ ଜଣାଉଛି। ଏଭଳି ସ୍ଥାନରେ ପହଞ୍ଚିବି ବୋଲି କେବେ କଳ୍ପନା କରି ନ ଥିଲି । ଲୋକମାନଙ୍କର ଆକାଙ୍କ୍ଷା ପୂରଣ ଲାଗି ପ୍ରାଣପଣେ ଉଦ୍ୟମ କରିବା ସହ ଗତ ଚାରି ବର୍ଷରେ ହୋଇଥିବା କାର୍ଯ୍ୟକୁ ଆହୁରି ଆଗେଇ ନେବୁ ।


















