ନୂଆଦିଲ୍ଲୀ,୬/୮ଏଜେନସି : ରାଜ୍ୟସଭାରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ-୨୦୧୯ ଗୃହୀତ ହୋଇଛି । ଏହା ବିଲ ଆଇନରେ ପରିଣତ ହେବା ପରେ ଜାମ୍ମୁ ଓ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଂଚଳ ଓ ଲଦାଖ ଏକ କେନ୍ଦ୍ର ଶାସିତ ଅଂଚଳ ହେବ । ଆଜିର ଏହି ଐତିହାସିକ ନିଷ୍ପତ୍ତି ପରେ ସ୍କୁଲ କଲେଜରେ ପିଲାମାନେ ପଢୁଥିବା ସାଧାରଣ ଜ୍ଞାନ ମଧ୍ୟ ବଦଳିଯାଇଛି । ଆଜିଠାରୁ ଭାରତରେ ମୋଟ ୨୮ଟି ରାଜ୍ୟ ୯ଟି କେନ୍ଦ୍ର ଶାସିତ ଅଂଚଳ ରହିବ । ଆୟତନ ଦୃଷ୍ଟିରୁ ଜାମ୍ମୁ ଓ କାଶ୍ମୀର ଦେଶର ବୃହତ୍ତମ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି । ତା ପଛକୁ ରହିବ ଲଦାଖ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜାମ୍ମୁ ଓ କାଶ୍ମୀରର ବିଧାନସଭା ରହିବ । ପୂର୍ବରୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀରେ ବିଧାନସଭା ରହୁଥିଲା ଓ ଏହାର ମୁଖ୍ୟମନ୍ତ୍ରୀ ରହୁଥିଲେ । ଏବେ ଜାମ୍ମୁ ଓ କାଶ୍ମୀର ସେହି ମାନ୍ୟତା ପାଇଛି । ଅନ୍ୟପକ୍ଷରେ ଚଣ୍ଡୀଗଡ଼ ପରି ଲଦାଖରେ ବିଧାନସଭା ରହିବ ନାହିଁ ।