ନୂଆଦିଲ୍ଲୀ,୦୧/୦୩(ଡ଼ି.ଏଚ/ବ୍ୟୁରୋ): ଆଜି ସାରା ଦେଶରେ ପୁଣି ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡର ମୂଲ୍ୟ ୨୫ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଯିବା ପରେ ରାଜଧାନୀ ଭୁବନେଶ୍ୱରର ପରିବାରଗୁଡିକ ପାଇଁ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୪୫ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଭୁବନେଶ୍ୱରରେ ୧୪.୨ କେଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୨୦ ଟଙ୍କା ୫୦ପଇସା ଥିଲା । ଗତ ଫେବ୍ରୁଆରି ମାସରେ ରାଜ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟ କ୍ରମାଗତ ଭାବେ ତିନି ଥର ପାଇଁ ବୃଦ୍ଧି ଘଟିଥିବା ବେଳେ ମାର୍ଚ୍ଚ ଆରମ୍ଭରୁ ଆଜି ପୁଣି ଏଲପିଜି ଦରରେ ବୃଦ୍ଧି ଘଟିଛି । ପ୍ରଥମ ଥର ପାଇଁ ଫେବ୍ରୁଆରି ୪ରେ ଏଲପିଜି ଦରରେ ୨୫ଟଙ୍କା ବୃଦ୍ଧି ଘଟିଥିବା ବେଳେ ଫେବ୍ରୁଆରି ୧୪ରେ ଆଉ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ପରେ ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡରରେ ୨୫ ଟଙ୍କାର ମୂଲ୍ୟବୃଦ୍ଧି ଘଟିଥିଲା ।


















