ଭୁବନେଶ୍ୱର ,୧୭/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଜନ୍ମଦିନ। ଏହି ଅବସରରେ ଦେବୀ ମା’ ୟେଲାମାଙ୍କୁ ସୁନାରେ ନିର୍ମିତ ୨.୫କିଲୋଗ୍ରାମ ଓଜନ ବିଶିଷ୍ଟ ଶାଢ଼ି ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ୬୮ବର୍ଷ ହୋଇଥିବା ବେଳେ ତାଙ୍କ ଝିଅ କେ.କବିତା ପଶୁପାଳନ ମନ୍ତ୍ରୀ ତଲାସାନି ଶ୍ରୀନିବାସ ଯାଦବଙ୍କ ସହ ମିଶି ସୁନାରେ ନିର୍ମିତ ଶାଢ଼ି ମା’ଙ୍କୁ ଦେଇଥିବା ବୋଲି ଜଣାପଡ଼ିଛି ।
ସକାଳ ୮ଟା ୪୫ମିନିଟରେ ଶ୍ରୀନିବାସ ଯାଦବ ହାଇଦ୍ରାବାଦର ଆମେରପେଟର ଏକ ଗୁରୁଦ୍ୱାରରେ ପ୍ରାର୍ଥନା କରିଥିଲେ। ଏହା ପରେ ସକାଳ ୯ଟାରେ ସେ ବାଲକମ୍ପେଟ୍ ମନ୍ଦିରରେ ପ୍ରାର୍ଥନା କରିଥିଲେ ଯେଉଁଠାରେ ସେ ସୁନା ଶାଢ଼ି ମା’ଙ୍କୁ ଅର୍ପଣ କରିଥିଲେ। ଏହାର ଠିକ ୧୫ମିନିଟ୍ ପରେ, ସେ ଉଜୈନି ମହକଲି ମନ୍ଦିରରେ ପୂଜା କରି ଭଗବାନଙ୍କ ଆର୍ଶୀବାଦ ନେଇଥିଲେ। ସକାଳ ୯ଟା ୪୫ରେରେ ଶ୍ରୀନିବାସ ଯାଦବ ହାଇଦ୍ରାବାଦର କ୍ଲକ୍ ଟାୱାର ଚର୍ଚ୍ଚରେ ପ୍ରାର୍ଥନା କରିଥିଲେ। ପ୍ରାୟ ୩୦ମିନିଟ୍ ପରେ, ସେ ନାମ୍ପାଲୀ ଦରଗାହ ଯାଇ ଚାଦର ଦେଇଥିଲେ। ସକାଳ ୧୦ଟା ୩୦ରୁ ସେ ନେକ୍ଲେସ୍ ରୋଡରେ ଥିବା ଜଲବିହାରଠାରେ ଉତ୍ସବରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଜୀବନୀ ଉପରେ ଏକ ୩ଡି ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସାରିତ କରାଯାଇଥିଲା। ଏହା ପରେ ଏକ କେକ୍ କାଟିବା ସମାରୋହର ଆୟୋଜନ କରାଯାଇଥିବା ବେଳେ ସମାରୋହରେ ବିଧାନ ପରିଷଦର ଅଧ୍ୟକ୍ଷ, ତେଲେଙ୍ଗାନା ବିଧାନସଭା ବାଚସ୍ପତି ଏବଂ ଅନେକ ରାଜ୍ୟ ମନ୍ତ୍ରୀ ଅଂଶଗ୍ରହଣ କରିଥିଲେ।


















