କୋଇଲା ରୟାଲ୍‌ଟି ବଢ଼ାଯିବାର ଯୋଜନା ନାହିଁ

177
Miners work at Magadh coal mine in Chatra district in the eastern state of Jharkhand, India, September 30, 2015. REUTERS/Stringer
ADVERTISEMENT

ନୂଆଦିଲ୍ଲୀ,୦୮/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ସମ୍ପ୍ରତି ଓଡ଼ିଶା ଓ କୋଇଲା ଉତ୍ପାଦନକାରୀ ରାଜ୍ୟ ନିମନ୍ତେ କୋଇଲା ରୟାଲ୍‌ଟି ବଢ଼ାଯିବାର ଯୋଜନା ନାହିଁ ବୋଲି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ରଙ୍କର ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଜ୍ୟସଭାରେ କହିଛନ୍ତି। କୋଇଲା ରୟାଲ୍‌ଟି ସଂଶୋଧନ ନିମନ୍ତେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ବିପୁଳ ପରିମାଣର କୋଇଲା ଯୋଗାଉଥିବା ଓଡ଼ିଶା ଭଳି ରାଜ୍ୟ ଲାଗି କୋଇଲା ରୟାଲ୍‌ଟି ବୃଦ୍ଧି କରାଯିବାର କୌଣସି ଯୋଜନା ଅଛି କି, ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେବାକୁ ଯାଇ ଶ୍ରୀ ଯୋଶୀ କହିଲେ, ୧୯୫୭ ‘ଖଣି ଓ ଖଣିଜ’ (ବିକାଶ ଓ ନିୟନ୍ତ୍ରଣ) ଆଇନର ଧାରା ୯(୩) ଅନୁଯାୟୀ, ଯେକୌଣସି ଖଣିଜ ପଦାର୍ଥର ରୟାଲ୍‌ଟି ହ୍ରାସବୃଦ୍ଧି କରିବା ନିମନ୍ତେ କେନ୍ଦ୍ର ସରକାର ‘ସରକାରୀ ରାଜପତ୍ର’ରେ ବିଜ୍ଞପ୍ତି ଦେଇ ରୟାଲ୍‌ଟି ଦର ନିର୍ଦ୍ଧାରଣ କରୁଥିବା ଏହି ଆଇନର ଦ୍ୱିତୀୟ ଭାଗକୁ ସଂଶୋଧନ କରି ପାରିବେ। ବିଜ୍ଞପ୍ତିରେ ଜାରି ହୋଇଥିବା ତାରିଖ ଠାରୁ ଏହି ରୟାଲ୍‌ଟି ହ୍ରାସବୃଦ୍ଧି ଲାଗୁ ହୋଇଥାଏ। କିନ୍ତୁ, ଏହି ଆଇନ ଅନୁସାରେ, କେନ୍ଦ୍ର ସରକାର ତିନି ବର୍ଷର ସମୟ ଅବଧି ମଧ୍ୟରେ କୌଣସି ଖଣିଜ ପଦାର୍ଥର ରୟାଲ୍‌ଟି ଦର ଏକାଧିକ ଥର ବୃଦ୍ଧି କରିପାରିବେ ନାହିଁ। ସେହିଭଳି, ପ୍ରତି ତିନି ବର୍ଷରେ ଥରେ ରୟାଲ୍‌ଟି ଦର ସଂଶୋଧନ କରିବା ନିମନ୍ତେ ଏହି ଆଇନରେ ବାଧ୍ୟତାମୂଳକ ବ୍ୟବସ୍ଥା ନାହିଁ। କିନ୍ତୁ, କୋଇଲା ଏବଂ ‘ଲିଗ୍‌ନାଇଟ୍‌’ର ସାମ୍ପ୍ରତିକ ରୟାଲ୍‌ଟି ଦର ସଂଶୋଧନ ପ୍ରସଙ୍ଗରେ ଅନୁଶୀଳନ କରାଯିବା ଉଦ୍ଦେଶ୍ୟରେ ୨୧. ୦୭. ୨୦୧୪ରେ ଏକ ‘ଷ୍ଟଡି ଗ୍ରୁପ୍‌’ ଗଠିତ ହୋଇଥିଲା। କୋଇଲା ରୟାଲ୍‌ଟି ଦର ପରିବର୍ତ୍ତନ ନ କରିବାକୁ ପ୍ରସ୍ତାବ ଦେଇ ଉକ୍ତ ‘ଷ୍ଟଡିଗ୍ରୁପ୍‌’ ରିପୋର୍ଟ ଦାଖଲ କରିଛି। ସରକାର ଏହି ରିପୋର୍ଟକୁ ଗ୍ରହଣ କରିଛନ୍ତି ।
ସମ୍ପୃକ୍ତ ରାଜ୍ୟ ସରକାର ସଂଗ୍ରହ କରୁଥିବା କୋଇଲାର ନେଣଦେଣ ମୂଲ୍ୟ ଟିକସ ଉପରେ ସମ୍ପ୍ରତି ୧୪% ରୟାଲ୍‌ଟି ଦିଆଯାଉଛି। ଏହାଛଡ଼ା, ‘ଡିଷ୍ଟ୍ରିକ୍ଟ୍‌ ମିନେରାଲ୍‌ ଫାଉଣ୍ଡେସନ୍‌’ ଲାଗି ସମ୍ପୃକ୍ତ ରାଜ୍ୟ ସରକାର ୨୦୧୫ ଜାନୁଆରି ୧୨ ପୂର୍ବରୁ ମଞ୍ଜୁର ହୋଇଥିବା ଖଣି ଲିଜ୍‌ ବାବଦରେ ରୟାଲ୍‌ଟିର ୩୦% ଏବଂ ୨୦୧୫ ଜାନୁଆରି ୧୨ ଦିନ କିଂବା ତା’ପରେ ମଞ୍ଜୁର ହୋଇଥିବା ଖଣି ଲିଜ୍‌ ବାବଦକୁ ରୟାଲ୍‌ଟିର ୧୦% ଆଦାୟ କରୁଛନ୍ତି। ଏହାଛଡ଼ା, କୋଇଲାର ନେଣଦେଣ ମୂଲ୍ୟ ଉପରେ ରୟାଲ୍‌ଟି ଆଧାରିତ ହୋଇଥିବାରୁ କୋଇଲା ଦର ବଢ଼ିଲେ ସମ୍ପୃକ୍ତ ରାଜ୍ୟର ଏ ବାବଦ ରାଜସ୍ୱ ମଧ୍ୟ ବୃଦ୍ଧି ପାଉଛି।

Advertisement