ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ସଂକ୍ରାନ୍ତ ମାମଲାରେ ‘ଲଶ୍କର୍‌-ଏ-ତୈବା’ର ମୁଖ୍ୟ ହଫିଜ୍‌ ସୟିଦଙ୍କ ନାଁରେ ଗିରଫ ପର୍‌ଓ୍ଵାନା ଜାରି

141
ADVERTISEMENT

ନୂଆଦିଲ୍ଲୀ,୦୭/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ସଂକ୍ରାନ୍ତ ମାମଲାରେ ‘ଲଶ୍କର୍‌-ଏ-ତୈବା’ର (ଏଲ୍‌ଇଟି) ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ‘ମାଷ୍ଟର୍‌ମାଇଣ୍ଡ୍‌’ ହଫିଜ୍‌ ସୟିଦଙ୍କ ନାମରେ ଦିଲ୍ଲୀର ଏକ ଅଦାଲତ ଗିରଫ ପର୍‌ଓ୍ଵାନା ଜାରି କରିଛି । ହଫିଜ୍‌ ସୟିଦଙ୍କ ନାମରେ ଜାମିନବିହୀନ ପର୍‌ଓ୍ଵାନା ଜାରି କରିବା ସହ ଅନ୍ୟ ତିନି ସହ-ଅଭିଯୁକ୍ତ- କଶ୍ମୀରର ବ୍ୟବସାୟୀ ଜହୁର୍‌ ଅହମଦ୍‌ ଶାହ ଓ୍ଵାତାଲି, ବିଚ୍ଛିନ୍ନତାବାଦୀ ଅଲ୍‌ତାଫ୍‌ ଅହମଦ୍‌ ଶାହ ଓରଫ୍‌ ଫଣ୍ଟୁଶ୍‌ ଏବଂ ‘ୟୁଏଇ’ସ୍ଥିତ ବ୍ୟବସାୟୀ ନଓ୍ଵଲ୍‌ କିଶୋର କପୁରଙ୍କ ନାମରେ ମଧ୍ୟ ପର୍‌ଓ୍ଵାନା ଜାରି କରାଯାଇଛି। ସମ୍ପ୍ରତି ଉପରୋକ୍ତ ତିନି ବ୍ୟକ୍ତି ତିହାର କେନ୍ଦ୍ରୀୟ କାରାଗାରରେ ବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଅଦାଲତରେ ହାଜର କରାଇବାକୁ ଆଦେଶ ଦିଆଯାଇଛି। ‘ଏନ୍‌ଆଇଏ’ ତଦନ୍ତରୁ ଆର୍ଥିକ ଦୁର୍ନୀତି ସଂକ୍ରାନ୍ତରେ ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦାଏର କରିଥିବା ‘ଚାର୍ଜସିଟ୍‌’କୁ ବିଚାର କରି ଅଦାଲତ ଏହି ଆଦେଶନାମା ଜାରି କରିଛନ୍ତି । ଏହାଛଡ଼ା, ଓ୍ଵାତାଲିଆଙ୍କ କମ୍ପାନି ମେସର୍ସ ଟ୍ରିସନ୍‌ ଫାର୍ମସ୍‌ ଆଣ୍ଡ୍‌ କଷ୍ଟ୍ରକ୍‌ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିନିଧିମାନଙ୍କ ପ୍ରତି ବିଚାରପତି ‘ସମନ୍‌’ ଜାରି କରିଛନ୍ତି। ତାଙ୍କ କମ୍ପାନିକୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି । ସରକାରଙ୍କ ବିରୋଧରେ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରିବା ଏବଂ କଶ୍ମୀର ଉପତ୍ୟକାରେ ସମସ୍ୟା ସୃଷ୍ଟି କରିବା ଘଟଣାରେ ‘ଆଇଏନ୍‌ଏ’ ହଫିଜ୍‌ ସୟିଦ, ହିଜ୍‌ବୁଲ୍‌ ମୁଜାହିଦୀନ ନେତା ସୟେଦ ସଲାଉଦ୍ଦିନ ଏବଂ ଅନ୍ୟମାନଙ୍କ ବିପକ୍ଷରେ କରିଥିବା ତଦନ୍ତକୁ ଆଧାର କରି ପ୍ରବର୍ତ୍ତନ ନିର୍ଦେଶାଳୟ ଏକ ମାମଲା ରୁଜୁ କରିଥିଲା ।

Advertisement