ଦିଲ୍ଲୀ ବିସ୍ଫୋରଣ ମାମଲାର ତଦନ୍ତ କରିବ ଏନଏସଜି

200
ADVERTISEMENT

ନୂଆଦିଲ୍ଲୀ,୩୦/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟ ବିସ୍ଫୋରଣ ଘଟଣାର ଏନ୍ଏସଜି ତଦନ୍ତ କରିବ ବୋଲି ସୂଚନା ମିଳିଛି। ଏନଏସଜିର ଏକ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଏହା କେଉଁ ପ୍ରକାର ବିସ୍ଫୋରଣ ଏବଂ କେତେ ଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏନଏସିଜି। ସେପଟେ ବିସ୍ଫୋରଣ ଘଟଣାକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଇସ୍ରାଏଲ ଦୂତାବାସ ଅଂଚଳରେ ସୁରକ୍ଷାକୁ କଡାକଡି କରାଯାଇଛି । ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ସରକାର। କେବଳ ଏତିକି ନୁହେଁ ବରଂ ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇ ପୂର୍ଣ୍ଣ ସୁରକ୍ଷାର ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଭାରତରେ ଥିବା ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହ ଅଧିକାରୀଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଏସ୍. ଜୟଶଙ୍କର। ମାମଲାର ତଦନ୍ତ କରାଯିବା ସହ କାହାରିକୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗତକାଲି ବିସ୍ପୋରଣ ଘଟଣାରେ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈସ-ଉଲ୍-ହିନ୍ଦ୍। ବିସ୍ଫୋରଣ ପଛରେ କାହାର ହାତ ରହିଛି? ଏ ନେଇ ତଦନ୍ତ ପ୍ରକ୍ରିୟାରେ ଇସ୍ରାଏଲ ସବୁ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି ଇସ୍ରାଏଲ ବୈଦେଶିକମନ୍ତ୍ରୀ। ସେପଟେ ବିସ୍ଫୋରଣର ତଦନ୍ତ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସେ ଦିଲ୍ଲୀ ପୋଲିସ କମିଶନର ଓ ଗୁଇନ୍ଦା ବିଭାଗ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ଭାରତର ତଦନ୍ତ ଏବଂ ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ନେଇ ଭାରତ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛନ୍ତି । ଗତକାଲି ଅପରାହ୍ନ ୫ଟା ୧୦ ମିନିଟରେ ଘଟିଥିଲା IED ବିସ୍ଫୋରଣ। ଏଥିରେ ଜଣେ ବ୍ୟକ୍ତି ଗୋଟିଏ କାରରେ ଆସି ପ୍ଲାଷ୍ଟିକରେ ଗୁଡ଼ା ହୋଇଥିବା ଆଇଇଡିକୁ ଫିଙ୍ଗି ଦେଇ ପଳାଇଥିଲା।

Advertisement