ନୂଆଦିଲ୍ଲୀ,୨୮/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ଦିଲ୍ଲୀରେ ଶାସନରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ (ଆପ୍) ପାର୍ଟି ଏବେ ୬ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ଯାଉଛି । ଆପର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ୬ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆପ୍ ପ୍ରାର୍ଥୀ ଦେବ। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ, ପଞ୍ଜାବ ଓ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ଆପ୍ । କାର୍ଯ୍ୟକାରିଣୀ ବୈଠକରେ ଦଳର ସୁପ୍ରିମୋ କେଜ୍ରିୱାଲ କହିଛନ୍ତି, ଆଜିକାଲି ଦେଶର କୃଷକ ବହୁତ ଦୁଃଖରେ ଜୀବନ କାଟୁଛନ୍ତି । ଗତ ୨୫ ବର୍ଷ ଭିତରେ ପ୍ରାୟ ୩ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କଲେଣି । ଆଉ ଗତ ଜାନୁଆରୀ ୨୬ ତାରିଖରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଏହି ହିଂସାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ନଧରି କୃଷକଙ୍କ ଉପରେ ମାମଲା ରୁଜୁ କରାଯାଉଛି । କୃଷକଙ୍କ ପ୍ରତି ଅନ୍ୟାୟ କରାଯାଉଛି ।






















