କରୋନା ଟିକା: ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସିଧା ଯୋଗାଣକାରୀ କମ୍ପାନିରୁ ଆସିବ

195
ADVERTISEMENT

ଭୁବନେଶ୍ୱର,୦୬/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଓଡ଼ିଶାକୁ ସିଧା ଯୋଗାଣକାରୀ କମ୍ପାନିରୁ ଆସିବ କରୋନା ଟିକା। ଏ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଖୁବ୍ ଶୀଘ୍ର ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଯୋଗାଣରେ ସିଧା ଯୋଗାଣକାରୀ କମ୍ପାନିରୁ କୋଭିଡ୍‌-୧୯ ଟିକା ଆସିବ ବୋଲି ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ହରିଆଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ।
ଅବଶିଷ୍ଟ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥା ଆଣ୍ଡାମାନ ନିକୋବର ଦୀପପୁଞ୍ଜ, ଅରୁଣାଚଳପ୍ରଦେଶ, ଚଣ୍ଡିଗଡ଼, ଦାଦରା ଓ ନଗର ହବେଲି, ଦାମନ-ଡିୟୁ, ଗୋଆ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖ, ଲାକ୍ଷାଦୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ୍‌, ପୁଡୁଚେରି, ସିକିମ୍‌, ତ୍ରିପୁରା ଏବଂ ଉତ୍ତରାଖଣ୍ଡକୁ ଜିଏମ୍‌ଏସ୍‌ଡି ମାଧ୍ୟମରେ ଟିକା ଯୋଗାଇ ଦିଆଯିବ। ଏ ସଂକ୍ର‌ାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ଚିଠି ଲେଖାଯାଇ ଟିକା ଗ୍ରହଣ ଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି। ବି‌ଶେଷ କରି ଟିକା ଆସିଲେ ତାହାକୁ ଗାଇଡଲାଇନ୍ ଅନୁସାରେ କିଭଳି ଗଚ୍ଛିତ ରଖାଯିବ ଓ ଜିଲ୍ଲାଗୁଡ଼ିକୁ କିଭଳି ପଠାଯିବ ସେ ନେଇ ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ କୁହାଯାଇଛି ।ଏପଟେ ରାଜ୍ୟରେ ଆଉ ୧୦ ଦିନ ମଧ୍ୟରେ କରୋନା ଟିକା ପହଞ୍ଚିବ। ପହଞ୍ଚିବାର ଦିନେ କିମ୍ବା ଦୁଇ ଦିନ ଭିତରେ ଟିକାକରଣ ଆରମ୍ଭ କରାଯିବ ବୋଲି ଡିଏମଇଟି ଡା. ସିବିକେ ମହାନ୍ତି ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନ ମଧ୍ୟରେ ଟିକା ପହଞ୍ଚିବ ଓ ପହଞ୍ଚିବାର ୨ ଦିନ ମଧ୍ୟରେ ଟିକାକରଣ ହେବ । ଟିକାକରଣ ପାଇଁ ଆମ‌େ ପ୍ରସ୍ତୁତ ରହିଛୁ। ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି, ତାହାକୁ ୨ଟି ଡୋଜ୍‌ରେ ଦିଆଯିବ। ପ୍ରଥମ ଡୋଜ୍‌ ଦେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍‌ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Advertisement