ନୂଆଦିଲ୍ଲୀ,୦୪/୦୧/୨୧(ଡ଼ି.ଏଚ/ବ୍ୟୁରୋ) : କରୋନା ଟିକାକୁ ନେଇ ବହୁ ପରୀକ୍ଷାନିରୀକ୍ଷା ପରେ ଶେଷରେ ଭାରତ ବାୟୋଟେକର ଆଣ୍ଟି-କରୋନା ଭାଇରସ୍ ଟିକା ‘କୋଭାକ୍ସିନ୍’କୁ ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଉପରେ ପ୍ରୟୋଗ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଛି। ସେହିପରି ପୁଣେଭିତ୍ତିକ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଦ୍ୱାରା ନିର୍ମିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଭାଇରସ୍ ଟିକା ‘କୋଭିସିଲ୍ଡ’କୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଉପରେ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଉଭୟ ଭାରତ ବାୟୋଟେକର ‘କୋଭାକ୍ସିନ୍’ ଏବଂ ସିରମ୍ ଇନଷ୍ଟିଚ୍ୟୁଟର ‘କୋଭିସିଲ୍ଡ’ ଟିକାକୁ ଅନୁମତି ଦିଆଯାଇଛି। ରବିବାର ଦିନ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ଭାରତ ବାୟୋଟେକ ଆଣ୍ଟି-କରୋନା ଭାଇରସ ଟିକା ପାଇଁ ଭାରତ ଆନୁଷ୍ଠାନିକ ଅନୁମୋଦନ ଘୋଷଣା କରିଥିବା ସୂଚନା ରହିଛି। କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ)ର କରୋନା ଭାଇରସ୍ ସବ୍ଜେକ୍ଟ ଏକ୍ସପର୍ଟ କମିସଟି (ଏସ୍ଇସି) ଦ୍ୱାରା ଦାଖଲ କରାଯାଇଥିବା ସୁପାରିସ ଆଧାରରେ ଡିସିଜିିଆଇ ଦ୍ୱାରା ଅନୁମୋଦନ ଦିଆଯାଇଥିଲା।


















