ଭୁବନେଶ୍ବର,୨୩/୧୨(ଡ଼ି.ଏଚ/ବ୍ୟୁରୋ) : ନୂଆଦିଲ୍ଲୀ: ବ୍ରିଟେନ୍ରେ ନୂଆ ପ୍ରଜାତିର କରୋନା ଭୂତାଣୁକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ଏ ଦିଗରେ ସତର୍କତା ପଦକ୍ଷେପ ଗ୍ରହଣ କରିଛି। ଲଣ୍ଡନ୍ରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ବାଧ୍ୟତାମୂଳକ ଆର୍ଟିପିସିଆର ଟେଷ୍ଟ୍ କରାଯାଉଛି। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ୫ ଜଣ ଯାତ୍ରୀଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ, ଅମୃତସରରେ ୮ ଜଣ, ଅହମଦାବାଦରେ ୫ ଜଣ, କୋଲାକାତାରେ ୨ ଜଣ ଏବଂ ଚେନ୍ନାଇରେ ଜଣଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଗତରାତି ୧୦.୪୦ରେ ଦିଲ୍ଳୀ ବିମାନବନ୍ଦରରେ ଅବତରଣ କରିଥିବା ଏୟାର ଇଣ୍ଡିଆ ବିମାନରେ ୨୬୬ ଜଣ ଯାତ୍ରୀଥିଲେ। ସେମାନଙ୍କର କୋଭିଡ୍ ଟେଷ୍ଟ୍ କରାଯିବାପରେ ୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେହିପରି କୋଲକାତରେ ମଧ୍ୟ ୨ ଜଣ ବ୍ୟକ୍ତି ବ୍ରିଟେନ୍ରୁ ଫେରିବାପରେ କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ ଗତ ରବିବାର ଦିନ କୋଲକାତାର ଏନ୍ଏସସିବିଆଇ ବିମାନବନ୍ଦରରେ ପହଞ୍ଚିଥିଲେ। ସେମାନଙ୍କୁ ୨ଟି ପୃଥକ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରରେ ଏହି ନୂଆ ପ୍ରଜାତିର ଭୂତାଣୁ ଅଛି କି ନା’ ତାହା ଜାଣିବାପାଇଁ ବିଶେଷଜ୍ଞମାନେ ଅନୁଧ୍ୟାନ ଜାରି ରଖିଛନ୍ତି।
ଅନ୍ୟପକ୍ଷେ ତାମିଲନାଡ଼ୁ ସ୍ବାସ୍ଥ୍ୟ ସଚିବ ଜେ ରାଧାକ୍ରୀଷ୍ଣନ୍ କହିଛନ୍ତି, ଗତକାଲି ବ୍ରିଟେନ୍ରୁ ଫେରିଥିବା ଜଣେ ଯାତ୍ରୀ ତାମିଲନାଡ଼ୁରେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତେବେ ସେ ଏହି ନୂଆ କରୋନାଭୂତାଣୁରେ ପୀଡ଼ିତ କି ନା’ ତାହା ଜଣାପଡ଼ିନି। ବ୍ରିଟେନ୍କୁ ବିମାନ ବାତିଲ ଘୋଷଣା ହେବାପରେ ଭାରତରେ ଅନ୍ୟ ୨ଟି ବିମାନ ଆସି ଗତକାଲି ବିଳମ୍ବିତ ରାତିରେ ପହଞ୍ଚିଥିଲା। ଗୋଟିଏ ମୁମ୍ବାଇରେ ଅବତରଣ କରିଥିବାବେଳେ ଅନ୍ୟଟି ପଂଜାବର ଅମୃତସରରେ ଅବତରଣ କରିଥିଲା। ଅମୃତସରରେ ପହଞ୍ଚିଥିବା ୨୪୦ ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ବ୍ରିଟେନ୍ ଫେରନ୍ତା କରୋନା ଆକ୍ରାନ୍ତଙ୍କଠାରେ ନୂଆ ପ୍ରଜାତିର ଭାଇରସ୍ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏ ନେଇ ବିଶେଷଜ୍ଞ ଦଳ ଅନୁଧ୍ୟାନ ଜାରି ରଖିଛନ୍ତି।




















