ନୂଆଦିଲ୍ଲୀ ,୦୩/୦୮ ଏଜେନସି : ଭାରତ ସରକାରଙ୍କ ଦ୍ୱାରା ଏନ ଗୋପାଳସ୍ୱାମୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ଷମତାପ୍ରାପ୍ତ ବିଶେଷଜ୍ଞ ସମିତି (ଇଇସି) ୧୫ଟି ସରକାରୀ ଓ ୧୫ଟି ଘରୋଇ ଶିକ୍ଷାନୁଷ୍ଠାନକୁ ‘ଶ୍ରେଷ୍ଠସଂସ୍ଥାନ’ ମାନ୍ୟତା ପ୍ରଦାନ କରିବାଲାଗି ସୁପାରିସ କରିଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି)ର ୫୪୨ତମ ବୈଠକରେ ଏହି ସୁପାରିସକୁ ବିବେଚନା କରାଯାଇଛି । ୧୫ଟି ଘରୋଇ ଶିକ୍ଷାନୁଷ୍ଠାନ ତାଲିକାରେ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି । କ୍ୟୁଏସ- ୨୦୧୯ ରୢାଙ୍କିଙ୍ଗ୍ରେ କିଟ୍ ୬୧ରୁ ୬୫ ସ୍ଥାନ ମଧ୍ୟରେ ରହିଥିବାବେଳେ ୨୦୧୮ ଓ ୨୦୧୯ର ଏନଆଇଆରଏଫ ରୢାଙ୍କିଙ୍ଗ୍ରେ ଯଥାକ୍ରମେ ୪୨ ଓ ୩୧ତମ ସ୍ଥାନରେ ରହିଥିଲା। କିଟ୍ ବିଶ୍ୱବିଦ୍ୟାଳୟକୁ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ସଂସ୍ଥାନରେ ସାମିଲ୍ କରିବାଲାଗି ସହମତି ପତ୍ର ଦିଆଯାଇଛି।ବିଶ୍ୱ ରୢାଙ୍କିଙ୍ଗ୍ରେ ୧୫୨ ତମ ତଥା ଜାତୀୟ ରୢାଙ୍କିଙ୍ଗ୍ ଶୀର୍ଷରେ ଥିବା ଆଇଆଇଟି, ବମ୍ବେ ସରକାରୀ ସଂସ୍ଥାନ ତାଲିକାର ପ୍ରଥମ ସ୍ଥାନରେ ରହିଛି ତଥା ଏହାକୁ ଶ୍ରେଷ୍ଠସଂସ୍ଥାନ ଭାବେ ପୂର୍ବରୁ ଘୋଷଣା କରାଯାଇସାରିଛି । ଆଇଆଇଟି ଦିଲ୍ଲୀ (ବିଶ୍ୱ ରୢାଙ୍କିଙ୍ଗ ୧୮୨ ଜାତୀୟ ରୢାଙ୍କିଙ୍ଗ ୪) ଓ ଏକକ ବିଶ୍ୱବିଦ୍ୟାଳୟ ଆଇଆଇଏସ୍ସି, ବାଙ୍ଗାଲୋର (ବିଶ୍ୱ ରୢାଙ୍କିଙ୍ଗ୍ ୧୮୪ ଓ ଜାତୀୟ ରୢାଙ୍କିଙ୍ଗ୍ ୨)କୁ ମଧ୍ୟ ଶ୍ରେଷ୍ଠସଂସ୍ଥାନ ଭାବେ ଘୋଷଣା କରାଯାଇସାରିଛି।
ଘରୋଇ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ରାଜସ୍ଥାନର ବିଟ୍ସ ପିଲାନି, ମନିପାଲ ଏକାଡେମୀ ଅଫ ହାୟର ଏଜୁକେସନ, ମହାରାଷ୍ଟ୍ରର ରିଲାଏନ୍ସ ଫାଉଣ୍ଡେସନ ଜିଓ ଇନଷ୍ଟିଚ୍ୟୁଟ (ପ୍ରତିଷ୍ଠା ହେବାକୁ ଥିବା ଗ୍ରୀନ୍ ଫିଲ୍ଡସଂସ୍ଥାନ), ବାଙ୍ଗାଲୋରସ୍ଥିତ ଅମୃତାବିଶ୍ୱ ବିଦ୍ୟାପୀଠମ, ତାମିଲନାଡ଼ୁର ଭିଆଇଟି ଭେଲୋର, ଦିଲ୍ଲୀର ଜାମିଆ ହମଦର୍ଦ୍ଦ, ଭୁବନେଶ୍ୱରର କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (କିଟ୍ ବିଶ୍ୱବିଦ୍ୟାଳୟ), ହରିୟାଣାର ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ, ଉତ୍ତରପ୍ରଦେଶର ଶିବ ନାଦାର ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ସତ୍ୟଭାରତୀ ଫାଉଣ୍ଡେସନର ଭାରତୀ ଶିକ୍ଷାନୁଷ୍ଠାନ (ପ୍ରତିଷ୍ଠା ହେବାକୁ ଥିବା ଗ୍ରୀନଫିଲ୍ଡ ସଂସ୍ଥାନ), ବାଙ୍ଗାଲୋରର ଅଜିମପ୍ରେମଜୀ ବିଶ୍ୱବିଦ୍ୟାଳୟ, ଚେନ୍ନାଇର କେଆରଇଏ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋରର ଆଇଆଇଏଚଏସ, ଗାନ୍ଧୀନଗରସ୍ଥିତ ଇଣ୍ଡିଆନ ଇନଷ୍ଟିଚୁଟ ଅଫ ପବ୍ଲିକ ହେଲ୍ଥକୁସାମିଲ କରାଯାଇଛି।