ନୂଆଦିଲ୍ଲୀ,୨୪/୧୧,(ଡ଼ି.ଏଚ,ବ୍ୟୁରୋ) : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଗତ ଅଗଷ୍ଟ ୨୫ରେ ଗୋଗଇ କରୋନା ସଂକ୍ରମିତ ହୋଇ ଗୌହାଟୀ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଦୁଇ ମାସ ଧରି ଚିକିତ୍ସିତ ହୋଇଥିଲେ। କୋଭିଡରୁ ମୁକ୍ତ ହେବା ପରେ ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ନଭେମ୍ବର ୨ ତାରିଖରେ ତାଙ୍କୁ ପୁଣିଥରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା ବୋଲି ଆସାମ ସ୍ବାସ୍ଥ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଗୋଗଇ ଆସାମରେ ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୧ରେ ପ୍ରଥମ ଥର ପାଇଁ ଗୋଗଇ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୦୬ ଏବଂ ୨୦୧୧ରେ ଲଗାତାର ଭାବେ ୩ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ରହିଥିଲେ। ସର୍ବାଧିକ ସମୟ ଧରି ଆସାମର ମୁଖ୍ୟମନ୍ତ୍ରୀ ରହି ରେକର୍ଡ ସୃଷ୍ଟି କରିପାରିଛନ୍ତି।



















