ନୂଆଦିଲ୍ଲୀ,୦୧/୦୮ ଏଜେନସି : ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା ୫ ବର୍ଷ ପାଇଁ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଦାୟିତ୍ୱଗ୍ରହଣ କରି ସେ କହିଛନ୍ତି ଯେ, ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଦେଶର ସମସ୍ତ ଅଞ୍ଚଳକୁ ରାଡାର ପରିସରଭୁକ୍ତ କରାଯିବ। ଏହାଦ୍ୱାରା ପାଣିପାଗ ବିଷୟରେ ଠିକ ତଥ୍ୟ ମିଳିପାରିବ। ଏବେ ଓଡ଼ିଶାର ଗୋପାଳପୁର ଓ ପାରାଦ୍ୱୀପରେ ଡପଲର ରାଡାର ଲଗାଯାଇଛି। ଆଗାମୀ ଦିନରେ ସମ୍ବଲପୁରରେ ଏଭଳି ରାଡାର ଲଗାଯିବାର ଯୋଜନା ରହିଛି। ବାଲେଶ୍ୱରରେ ଡିଆର୍ଡିଓ ଦ୍ୱାରା ରାଡାର ନ ଲଗାଗଲେ ପାଣିପାଗ ବିଭାଗ ଏହାକୁ ଲଗାଇବ ବୋଲି ସେ ସୂଚନା ଦେଇଛନ୍ତି। ସେ ଓଡ଼ିଶାର ଭଦ୍ରକ ଜିଲାର ଚାନ୍ଦବାଲିର ବାସିନ୍ଦା। ୧୯୬୫ ଅଗଷ୍ଟ ୧୨ରେ ସେ ଜନ୍ମଗ୍ରହଣ କରିଥିଲେ। ପଦାର୍ଥ ବିଜ୍ଞାନରେ ପିଜି ଡିଗ୍ରୀ ଏବଂ ପରେ ପିଏଚ୍ଡି ଡିଗ୍ରୀ ହାସଲ କରି ସେ ଚାନ୍ଦିପୁର ଡିଆର୍ଡିଓରେ ଯୋଗଦେଇଥିଲେ। ସେ ସଫଳତାର ସହିତ ଫାଇଲିନ୍,ତିତ୍ଲି, ହୁଡ୍ହୁଡ୍ ଏବଂ ଲୁବ୍ନା ସାମୁଦ୍ରିକ ଝଡ଼ର ଗତିପଥ ନିର୍ଦ୍ଧାରଣ କରି ବିଶେଷ ଖ୍ୟାତି ହାସଲ କରିପାରିଛନ୍ତି।



















