Friday, October 16, 2026
ADVERTISEMENT
Home ଜାତୀୟ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିବା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିବା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର

338
ADVERTISEMENT

ନୂଆଦିଲ୍ଲୀ,୩୦/୭ ଏଜେନସି : ରାଏବରେଲିରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିବା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ଏସଂପର୍କରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ବିଳମ୍ବିତ ରାତ୍ରିରେ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଔପଚାରିକଭାବେ ଅନୁରୋଧ କରିଥିବା ଜଣାଯାଇଛି । ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାରେ ଗତକାଲି ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର, ତାଙ୍କ ଭାଇ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ ରାଏବରେଲିର ଗୁରୁବକ୍ସଗଞ୍ଜ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି । ରୁଜୁ ହୋଇଥିବା ଏଫ୍ଆଇଆରରେ ୧୫-୨୦ ଜଣ ଅଚିହ୍ନା ଲୋକଙ୍କ ନାଁ ଥିବା ଜଣାପଡ଼ିଛି। ଆଇପିସିର ଧାରା ୩୦୨, ୩୦୭, ୫୦୬, ୧୨୦ ବି ଅଧୀନରେ ଏଫ୍ଆଇଆର ରୁଜୁ ହୋଇଛି । ଦୁର୍ଘଟଣାରେ ସିବିଆଇ ତଦନ୍ତ ପାଇଁ ପୀଡ଼ିତାଙ୍କ ପରିବାର ସଦସ୍ୟ ଦାବି କରିଥିବାଯୋଗୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଏଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିବା ମାମଲାର ତଦନ୍ତ ସିବିଆଇଙ୍କୁ ଦିଆଯିବା ପରେ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ଆଗରୁ ସିବିଆଇ ତାଙ୍କ ବିରୋଧରେ ହୋଇଥିବା ୨ ମାମଲାର ତଦନ୍ତ ଏବେ ବି କରୁଛି ।

Advertisement