Wednesday, August 19, 2026
ADVERTISEMENT
Home ଜାତୀୟ ‘ବଜେଟ ଗରିବଙ୍କୁ ସଶକ୍ତ କରିବ’

‘ବଜେଟ ଗରିବଙ୍କୁ ସଶକ୍ତ କରିବ’

333
ADVERTISEMENT

ନୂଆଦିଲ୍ଲୀ,୬/୭ (ଡି.ଏଚ.ବି): କେନ୍ଦ୍ର ବଜେଟ ନାଗରିକ ହିତୈଶୀ, ବିକାଶ ଅନୁକୂଳ ତଥା ଭବିଷ୍ୟତୋନ୍ମୁଖୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିହିତ କରିବା ସହ ଏହା ଦେଶର ଗରିବଙ୍କୁ ସଶକ୍ତ କରିବ ଏବଂ ଯୁବପିଢ଼ିଙ୍କ ଲାଗି ଉନ୍ନତ ଭବିଷ୍ୟତ ଯୋଗାଇଦେବ ବୋଲି କହିଛନ୍ତି। ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ହୋଇପାରିବା ସହ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବ ବୋଲି ବଜେଟରୁ ପ୍ରତୀୟମାନ ହୋଇଛି। ସରକାରଙ୍କ ନୂତନ ନୀତି ଅବହେଳିତମାନଙ୍କୁ ସଶକ୍ତ କରିବା ସହ ଦେଶର ବିକାଶ ପାଇଁ ସେମାନଙ୍କ ହାତରେ କ୍ଷମତା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ ପରେ ଏକ ଟେଲିଭିଜନ ବାର୍ତ୍ତାରେ ମୋଦି କହିଥିଲେ, ବଜେଟରେ ସ୍ବଚ୍ଛ ପରିବେଶ, ସ୍ବଚ୍ଛ ଇନ୍ଧନ ଏବଂ ପରିବହନ ଉପରେ ଗୁରୁତ୍ୱ ଦିଆଯାଇଛି। କୃଷି ସେକ୍ଟରରେ ଢାଞ୍ଚାଗତ ସଂସ୍କାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ସହ ଏହି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ। ବଜେଟକୁ ନୂତନ ଭାରତର ଦସ୍ତାବିଜ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଦେଶର ବିକାଶ ଧାରାକୁ ତ୍ୱରାନ୍ବିତ କରିବା ସହ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଅଧିକ ଲାଭଦାୟକ ହେବ। ବଜେଟରେ ଟିକସ ପ୍ରକ୍ରିୟାର ସରଳୀକରଣ କରାଯାଇଥିବାରୁ ଭିତ୍ତିଭୂମିର ଆଧୁନିକୀକରଣରେ ଏହା ସହାୟକ ହୋଇପାରିବ। ଏହା ଉଭୟ ଉଦ୍ୟୋଗ ଏବଂ ବ୍ୟବସାୟୀ ଉଭୟଙ୍କୁ ସୁଦୃଢ଼ କରାଇବ। ଦେଶର ବିକାଶରେ ମହିଳାମାନଙ୍କ ଭାଗୀଦାରିତାକୁ ଅଧିକ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisement