ନାଟ୍ୟଗୁରୁଙ୍କ ଜୀବନଯନ୍ତ୍ରଣା, ପର କଲା ପୁଅ, କୋଠଘରେ ଆଶ୍ରୟ

273
ADVERTISEMENT

ବ୍ରହ୍ମପୁର, ୬/୭ (ଡି.ଏଚ.ବି) : ନୃତ୍ୟ ପାଇଁ କୈଶୋର ଓ ଯୌବନକୁ ସମର୍ପିତ କରିଥିଲେ। ବାଦ୍ୟ ଓ ସଙ୍ଗୀତର ତାଳେ ତାଳେ ଦିନେ ତାଙ୍କ ପାଦ ଝୁମି ଉଠୁଥିଲା। ମନ୍ତ୍ରମୁଗ୍‌ଧ ହୋଇ ଅପଲକ ନୟନରେ ଚାହିଁ ରହୁଥିଲେ ଦର୍ଶକ। ଅଜାଡ଼ି ହୋଇ ପଡ଼ୁଥିଲା ପ୍ରଶଂସା। ଜୀବନର ଅପରାହ୍ନରେ ଆଜି ତାଙ୍କ ପାଦ ନିଶ୍ଚଳ ହୋଇ ପଡ଼ିଥିବା ବେଳେ ସେ ହୋଇ ପଡ଼ିଛନ୍ତି ନିଃସଙ୍ଗ, ନିଃସହାୟ ଓ ସମାଜପାଇଁ ଅଦରକାରୀ। ସ୍ତ୍ରୀ ଆରପାରିକୁ ଚାଲିଗଲା ପରେ ପୁଅ ପର କରିଦେଲା। ନିଜସ୍ବ ଘର ନାହିଁ କି ଜମି ନାହିଁ। ଗାଁ ଲୋକଙ୍କ ସମ୍ମତି କ୍ରମେ ମନ୍ଦିର କୋଠ ଘରେ ବିତୁଛି ଜୀବନ। ଏଭଳି ଦୁର୍ଦ୍ଦିନରେ ରହିଥିବା କଳାର ପୂଜାରୀ ହେଲେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ତା ବ୍ଲକ୍‌ ରଙ୍ଗିପୁର ପଞ୍ଚାୟତ ରାଳବ ଗାଁର ବୃନ୍ଦାବନ ରଣା। ପଞ୍ଚମ ଶ୍ରେଣୀ ପାଠ ପଢ଼ିଥିବା ବୃନ୍ଦାବନ ଛାନ୍ଦ, ଚମ୍ପୁ, ଜଣାଣ ଆଦି ଗାୟନରେ ସୁଦକ୍ଷ। ଗାଁରେ ହେଉଥିବା ସଖୀ ନାଟ ଦେଖି ତାହା ମୋହରେ ପଡ଼ି ଯାଇଥିଲେ। ବହି-ଖାତାଠାରୁ ଦୂରେଇ ଯାଇ ୧୫ ବର୍ଷ ବୟସରୁ ନାଟୁଆ ହୋଇ ଯାଇଥିଲେ। ସୁନ୍ଦରପୁର ଗ୍ରାମର ଗୁରୁ ସୁଦାମ ଚରଣ ରଣାଙ୍କଠାରୁ ନୃତ୍ୟ ଶିକ୍ଷା କରି ସେ ସାଜିଥିଲେ ସଖୀ ନାଟର ନୃତ୍ୟଶିଳ୍ପୀ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଖୀ ନାଟ ଦଳରେ ରହି ନୃତ୍ୟ ପରିବେଷଣ କରି ଶହ ଶହ ଦର୍ଶକଙ୍କ ମନ ଜିଣିଥିଲେ। ବୟସ ବଢ଼ିବା ସାଙ୍ଗକୁ ତାଙ୍କର ଅଭିନୟ ବି ପରପକ୍ବ ହୋଇଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ସଫଳତାର ପାହାଡ଼ ଚଢ଼ି ସଖୀ ନୃତ୍ୟଶିଳ୍ପୀରୁ ବନିଥିଲେ ସଖୀ ନାଟ ଗୁରୁ। ଚାଞ୍ଚଡ଼ାପଲ୍ଲୀ, ରାମପଲ୍ଲୀ, ଅଲଣ୍ତାଜାଗିରି ଓ ପୁରୀ ଜିଲ୍ଲାର କେତେକ ସଖୀ ନାଟ ଦଳରେ ରହି ନିର୍ଦ୍ଦେଶନା ଦେଇଥିଲେ। ସମୟ କ୍ରମେ ଗଞ୍ଜାମ ଜିଲ୍ଲାରେ ସଖୀ ନାଟ ଅବଲୁପ୍ତ ହେବା ପରେ ସେ ଭାରତଲୀଳା ଆଡ଼କୁ ମନ ବଳାଇଥିଲେ। କବିସୂର୍ଯ୍ୟନଗର ଓ କଙ୍କୋରଡ଼ା ଭାରତଲୀଳା ନୃତ୍ୟଦଳରେ ରହି ନିର୍ଦ୍ଦେଶନା ଦେଇଥିଲୋ। କବିସୂର୍ଯ୍ୟ ବଳଦେବ ରଥ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଗୋପଳକୃଷ୍ଣ, ବନମାଳୀ ଦାସଙ୍କ ବିଭିନ୍ନ ରଚନା, ଚାନ୍ଦ, ଚମ୍ପୁ, ଜଣାଣ ଓ ବିଶ୍ବନାଥ ଖୁଣ୍ଟିଆ ରାମୟଣ ଉପରେ ବୃନ୍ଦାବନଙ୍କ ରହିଛି ଅଗାଧ ପାଣ୍ତିତ୍ୟ। କଳା ପାଇଁ ସମର୍ପିତ ବୃନ୍ଦାବନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିଛି ସମ୍ବର୍ଦ୍ଧନା ଓ ସମ୍ମାନ। ତେବେ ବିଭିନ୍ନ ଛାନ୍ଦ, ଚମ୍ପୁ ଗାଇ ଓ ସଖୀ ନାଟ କରି ଦର୍ଶକଙ୍କ ମନ ଜିଣୁଥିବା ବୃନ୍ଦାବନ ୮୦ ବର୍ଷ ବୟସରେ ଏବେ ନିଃସହାୟ। ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁୁ ନେଇ ବୃନ୍ଦାବନଙ୍କ ପରିବାର। ସଖୀ ନାଟ କରି ସେଥିରୁ ମିଳୁଥିବା ପାରିଶ୍ରମିକରେ ବୃନ୍ଦାବନ ପରିବାର ପ୍ରତିପୋଷଣ କରୁଥିଲେ। ନାଟୁଆ ଜୀବନ ମଧ୍ୟରେ ଦୁଇ ଝିଅ ଓ ପୁଅର ବାହାଘର ବି କରାଇ ଦେଇଥିଲେ। ବୟସ ବଢ଼ିବା ସାଙ୍ଗକୁ ଶରୀର ଦୁର୍ବଳ ହୋଇପଡ଼ିଲା। ଦାନ୍ତ ପଡ଼ିଯିବାରୁ ଆଉ ପ୍ରାଞ୍ଜଳ ଭାବେ ଛାନ୍ଦ ଚମ୍ପୁ ଆଦି ଗାଇ ପାରିଲେ ନାହିଁ। ବାଧ୍ୟ ହୋଇ ଗତ ୧୦ ବର୍ଷ ହେଲା ନାଟଠାରୁ ଦୂରେଇ ଗଲେ। ଝିଅମାନେ ବାହା ହୋଇ ଶାଶୂଘର ଚାଲିଗଲେ। ୨୦୧୬ରେ ପତ୍ନୀ ରୋଗାକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ନାଟ ଛାଡ଼ିବା ପରେ ବୃନ୍ଦାବନଙ୍କ ଆଉ କିଛି ରୋଜଗାରର ପନ୍ଥା ନ ଥିଲା। ଦାରିଦ୍ର୍ୟର କଷାଘାତ ମଧ୍ୟରେ ପତ୍ନୀଙ୍କ ଚିକିତ୍ସା ଏବ˚ ପରିବାର ଚଳାଇବା ଲାଗି ଘର ଖଣ୍ତିକୁ ବି ବିକ୍ରି କରିଦେଲେ। ଆଉ ଏକମାତ୍ର ପୁଅ ବିବାହ ପରେ ତା’ର ପରିବାର ନେଇ କାମଧନ୍ଦା ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଗଲା। ବୃନ୍ଦାବନକୁ ଆଉ ପଚାରିଲା ନାହିଁ। ଏବେ ବୃନ୍ଦାବନଙ୍କ ମୁଣ୍ତ ଗୁଞ୍ଜିବାକୁ ଘର ନାହିଁ କି ଜମି ନାହିଁ । ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗାଁରେ ଥିବା ଏକ ମନ୍ଦିର କୋଠଘରେ ଆଶ୍ରୟ ନେଇଛନ୍ତି। ଇନ୍ଦିରା ଆବାସ, ମୋ କୁଡ଼ିଆ ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ତିଏ ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ହେଁ କିଛି ସୁଫଳ ମିଳିନାହିଁ। ରାଜ୍ୟ ସରକାରଙ୍କ ସ˚ସ୍କୃତି ବିଭାଗ ପକ୍ଷରୁ ମିଳୁଥିବା କଳାକାର ଭତ୍ତା (ମାସିକ ୧୨ଶହ ଟଙ୍କା) ତାଙ୍କର ଏକମାତ୍ର ସମ୍ବଳ । ଏହି ଭତ୍ତା ନିୟମିତ ମିଳୁନାହିଁ। ୩-୪ ମାସରେ ଥିରେ ମିଳୁଥିବାରୁ ଚଳିବାରେ ସମସ୍ୟା ଉପୁଜୁଥିବା କହିଛନ୍ତି ବୃନ୍ଦାବନ। ସରକାରୀ ଯୋଜନାରେ ଘର ଖଣ୍ତିଏ ଯୋଗାଇ ଦେଲେ ଶେଷ ଜୀବନ ନିଜସ୍ବ ଘରେ ବିତାଇ ପାରନ୍ତେ ବୋଲି କୋହଭରା କଣ୍ଠରେ କହିଛନ୍ତି ବୃନ୍ଦାବନ। ତେବେ ଯେଉଁ ୪ ହାତ ଜାଗା ନିଜର ବୋଲି ବୃନ୍ଦାବନ ଭାବୁଥିଲେ ତାହା ମନ୍ଦିର ଜମି ବୋଲି ଜଣାପଡ଼ିଛି । ତେବେ ବୃନ୍ଦାବନ ଯଦି ଆବେଦନ କରିବେ, ତାଙ୍କ କଥା ବିଚାର କରାଯିବ ବୋଲି କହିଛନ୍ତି ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ।

Advertisement