ନୂଆଦିଲ୍ଲୀ, ୫/୭ (ଡି.ଏଚ.ବି) : ଆଜି ମୋଦୀ ୨.୦ ସରକାରର ସର୍ବପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଉପସ୍ଥାପନ କରାଯାଇଥିବା ବଜେଟରେ କେଉଁ ୧୦ଟି ଭଲ ଜିନିଷ ରହିଛି, ଆସନ୍ତୁ ନଜର ପକାଇବା ।
୧. ପ୍ରଧାନମନ୍ତ୍ରୀ କର୍ମ ଯୋଗୀ ମନ ଧନ ଯୋଜନାରେ ଏବେ କ୍ଷୁଦ୍ର ବ୍ୟବସାୟୀ ଏବଂ ଖୁଚୁରା ଦୋକାନୀମାନଙ୍କୁ ପେନ୍ସନ ମିଳିବ । ୧.୫କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀଙ୍କୁ ଏହି ପେନ୍ସନ ମିଳିବ । ଏହି ଯୋଜନା ଦ୍ୱାରା ପାଖାପାଖି ୩କୋଟି କ୍ଷୁଦ୍ର ବ୍ୟବସାୟୀ ଲାଭବାନ ହେବେ ବୋଲି ଆଶା କରାଯାଉଛି ।
୨. ଦୂରଦର୍ଶନ ଏକ ଟିଭି ଚ୍ୟାନେଲ ଆରମ୍ଭ କରିବ ଯାହା ଷ୍ଟାର୍ଟଅପ୍ଗୁଡ଼ିକର ପ୍ରଚାର ବଢ଼ାଇବାରେ ସାହାଯ୍ୟ କରିବା ସହ ଅଧିକରୁ ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ସୁଯୋଗ ଦେବ ।
୩. ଭାରତ ଫେରି ଆଧାର ପାଇଁ ଆବେଦନ କରୁଥିବା ପ୍ରବାସୀ ଭାରତୀୟଙ୍କୁ ପୂର୍ବରୁ ୧୮୦ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ତାକୁ ସମାପ୍ତ କରାଯାଇ ଭାରତରେ ପହଞ୍ଚିବାର ତୁରନ୍ତ ପରେ ତାଙ୍କୁ ଆଧାର ମିଳି ପାରିବ ।
୪. ଏବେ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ୫,୦୦୦ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ କରି ପାରିବେ । ଏହା ସହ ମୁଦ୍ରା ଯୋଜନା ଅନୁଯାୟୀ ସ୍ୱୟଂ ସହାୟକ ଗୋଷ୍ଠୀର କୌଣସି ବି ସଦସ୍ୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଆଣି ପାରିବେ ।
୫. ଇଲେକ୍ଟ୍ରିକ୍ କାର୍ ପାଇଁ ଋଣ ନେଇଥିବା ଲୋକମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ରିହାତି ପ୍ରଦାନ କରାଯିବ ।
୬.ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ଏବେ ଆଧାର ଏବଂ ପ୍ୟାନ ଦୁଇଟି ଯାକ ଜରୁରୀ ହେବ ନାହିଁ । ଦୁଇଟି ମଧ୍ୟରୁ କୌଣସି ଗୋଟେ ପରିଚୟ ପତ୍ର ବ୍ୟବହାର କରି ଆପଣ ଆୟକର ରିଟର୍ଣ୍ଣ ଦାଖଲ କରି ପାରିବେ ।
୭. ୨୦୨୪ ମଧ୍ୟରେ ଜଳ ଜୀବନ ମିଶନ ଅଭିଯାନ ଦ୍ୱାରା ଗାଁର ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ । ଜଳ ଶକ୍ତି ମନ୍ତ୍ରାଳୟ ଏହାର ସଞ୍ଚାଳନ କରାଯିବ ।
୮. ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ଗବେଷଣା ଫାଉଣ୍ଡେସନ ଗଠନ କରାଯିବ । ଯାହା ଦେଶରେ ଗବେଷଣାକୁ ପ୍ରୋତ୍ସାହିତ କରିବ ।
୯. କର୍ପୋରେଟ୍ ଟ୍ୟାକ୍ସ ବେନିଫିଟ୍ ସ୍କିମ୍ ଅଧିନରେ ବ୍ୟବସାୟୀଙ୍କୁ ମିଳିବ ଫାଇଦା। ୪୦୦ କୋଟିରୁ ଅଧିକ କାରବାର କରୁଥିବା କମ୍ପାନୀକୁ ୨୫ ପ୍ରତିଶତ କର ଦେବାକୁ ହେବ । ପୂର୍ବରୁ ଏହି କାରବାରର ସୀମା ୨୫୦କୋଟି ଥିଲା ।
୧୦. ଦେଶର ଅର୍ଥ ବ୍ୟବସ୍ଥା ଏବେ ବିଶ୍ୱସ୍ତରରେ ୫ମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତର ଅର୍ଥନୀତି ୩ ଟ୍ରିଲିୟନ ଡଲାରରେ ପହଞ୍ଚିବ ।