ନିଶାଦ୍ରବ୍ୟ ପର୍ଯ୍ୟାୟଭୁକ୍ତ କରି ଇ-ସିଗାରେଟ୍‌ ନିଷିଦ୍ଧ କରିବେ ସରକାର

345
ADVERTISEMENT

ନୂଆଦିଲ୍ଲୀ, ୩/୭ (ଡି.ଏଚ.ବି): ନିଶାଦ୍ରବ୍ୟ ବା ‘ଡ୍ରଗ୍‌’ ଶ୍ରେଣୀଭୁକ୍ତ କରି ସରକାର ଦେଶରେ ଇ-ସିଗାରେଟ୍‌ ନିଷିଦ୍ଧ କରିବାକୁ ଯାଉଛନ୍ତି। ଇଲେକ୍‌ଟ୍ରୋନିକ୍‌ ସିଗାରେଟ୍‌ ପାରମ୍ପରିକ ସିଗାରେଟ୍‌ ଭଳି ନିକୋଟିନ୍‌ ପୋଡ଼େ ନାହିଁ। ଏଥିରେ ଥିବା ଗୋଟାଏ ତରଳ ପଦାର୍ଥ ବାଷ୍ପ ହୋଇଥାଏ। ଏହି ତରଳ ପଦାର୍ଥରେ ନିକୋଟିନ୍‌ ଥାଇ ପାରେ ବା ନ ଥାଇ ପାରେ। ସମ୍ପ୍ରତି ଇ-ସିଗାରେଟ୍‌ ବିକ୍ରୟ ଉପରେ ନିୟନ୍ତ୍ରଣ ନାହିଁ ଏବଂ ସରକାର ସେ ତାହାର ବିକ୍ରି ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି। କିନ୍ତୁ, ପ୍ରଚଳିତ ତମାଖୁ ଉତ୍ପାଦ ଆଇନ ଅନୁସାରେ, ସରକାର ସିଗାରେଟ୍‌ ନିଷିଦ୍ଧ କରି ପାରିବେ ନାହିଁ, କେବଳ ବିକ୍ରୟ ନିୟନ୍ତ୍ରଣ କରି ପାରିବେ। ତେଣୁ କି ଉପାୟରେ ଇ-ସିଗାରେଟ୍‌ ନିଷିଦ୍ଧ କରାଯିବ, ସେଥିପାଇଁ ସରକାର ଏକ ପାନେଲ ଗଠନ କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ ଏବେ ଭାରତରେ ୭, ୭୦୦ ସ୍ୱାଦଯୁକ୍ତ ୪୬୦ରୁ ଅଧିକ ବ୍ରାଣ୍ଡ୍‌ର ଇ-ସିଗାରେଟ୍‌ ମିଳୁଛି। ପ୍ରଥମାବସ୍ଥାରେ ପାରମ୍ପରିକ ସିଗାରେଟ୍‌ ପାନର ବିକଳ୍ପ ଭାବେ ପ୍ରଚଳିତ ଇ- ସିଗାରେଟ୍‌ ଏବେ ‘ଫେସନ୍‌ବାଜି’ ହୋଇଯାଇଛି। କୁହାଯାଉଛି, ଇ-ସିଗାରେଟ୍‌ ନିଷିଦ୍ଧ କରିବା ହେଉଛି ଦ୍ୱିତୀୟବାର କ୍ଷମତାସୀନ ହେବା ପରେ ମୋଦୀ ସରକାରଙ୍କର ପ୍ରଥମ ୧୦୦ ଦିନର ଆଜେଣ୍ଡାର ଅଂଶବିଶେଷ।


Advertisement