ଭୁବନେଶ୍ୱର, ୩/୭ (ଡି.ଏଚ.ବି): ବିଶିଷ୍ଟ ଶିକ୍ଷାବିତ୍ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍ ଗୌରକିଶୋର ଦାସଙ୍କର ଆଜି ଦିଲ୍ଲୀର ନୋଏଡ଼ାଠାରେ ପରଲୋକ ହୋଇଯାଇଛି। ମୃତୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ପ୍ରଫେସର୍ ଦାସ ନୋଏଡ଼ାର ମ୍ୟାକ୍ସ ହସ୍ପିଟାଲ୍ରେ ଗତ ୩ଦିନ ହେଲା ଚିକିତ୍ସାଧୀନ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ତଥା ସୁପ୍ରିମକୋର୍ଟର ଓକିଲ ବୁଲବୁଲ୍ ଦାସ ଏବଂ ସାନ ଝିଅ ଗୀତାଞ୍ଜଳି ଦାସ ଉପସ୍ଥିତ ଥିଲେ।
ପ୍ରଫେସର ଦାସ ଆଠଗଡ଼ର ପ୍ରସିଦ୍ଧ ପ୍ରଧାନଶିକ୍ଷକ ବିଶ୍ୱନାଥ ଦାସ ଏବଂ କୋକିଳା ଦେବୀଙ୍କ ଔରସରୁ ଜନ୍ମ ହୋଇଥିଲେ। ଆଠଗଡ଼ରେ ସ୍କୁଲ୍ ଶିକ୍ଷା ସମାପ୍ତ ପରେ ସେ ରେଭେନ୍ସା କଲେଜରେ ଅଧ୍ୟୟନ କରିଥିଲେ। ସେ ରେଭେନ୍ସା କଲେଜ୍ରେ ସ୍ନାତକରେ ଟପ୍ର ହେବା ପରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ କେମ୍ବ୍ରିଜ୍ରେ ଇଂରାଜୀରେ ଗବେଷଣା ସମାପ୍ତ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସାଉଥ୍ କ୍ୟାମ୍ପସ୍ର ସେ ନିର୍ଦ୍ଦେଶକ ମଧ୍ୟ ହୋଇଥିଲେ। ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପ୍ରଫେସର ଦାସ ବିଶିଷ୍ଟ ଇଂରାଜୀ ସାହିତ୍ୟିକ ଇ.ଏମ୍.ଫୋର୍ଷ୍ଟରଙ୍କ ଉପରେ ଗବେଷଣା କରିଥିଲେ। ଇଂରାଜୀ ଭାଷା ସାହିତ୍ୟରେ ସେ ଜଣେ ବିଶେଷଜ୍ଞ ଥିଲେ। ପ୍ରଫେସର ଦାସ ବିଧବା ପତ୍ନୀ ସୁପ୍ରିମକୋର୍ଟର ଆଇନଜୀବୀ ତଥା ସମାଜ ସେବୀ ବୁଲବୁଲ୍ ଦାସ ଓ ଦୁଇକନ୍ୟା ଡାକ୍ତର ମଧୁମିତା ଦାସ ଓ ଗୀତାଞ୍ଜଳି ଦାସଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଉଭୟ କନ୍ୟା ଆମେରିକାରେ ଅବସ୍ଥାନ କରନ୍ତି। ତାଙ୍କର ଶେଷକୃତ୍ୟ ନୂଆଦିଲ୍ଲୀସ୍ଥିତ ଲୋଦୀ କ୍ରିମାଟୋରିୟମ୍ରେ ଆଜି ସଂଧ୍ୟା ୬ଟା ସମୟରେ ସଂପନ୍ନ ହେବ ବୋଲି ତାରଙ୍କର ପରିବାର ସୂତ୍ରରୁ ପ୍ରକାଶ।