ନୂଆଦିଲ୍ଲୀ, ୨୦/୦୩ (ଡ଼ିଏଚ): ବହୁ ଚର୍ଚ୍ଚିତ ନିର୍ଭୟା ଚାରି ଜଣ ଦୋଷୀ ଅକ୍ଷୟ, ମୁକେଶ, ବିନୟ ଶର୍ମା ଓ ପବନ ଗୁପ୍ତାଙ୍କୁ ଆଜି ଦିଲ୍ଲୀସ୍ଥିତ ତିହାର ଜେଲରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି। ନିର୍ଭୟାକୁ ନ୍ୟାୟ ମିଳିଥିବା ବେଳେ, ଘଟଣା ଦିନ ଠାରୁ ଲୁହ ପିଇ ପିଇ ଦିନକାଟୁଥିବା ନିର୍ଭୟାର ମା-ବାପା’ଙ୍କୁ ଶାନ୍ତି ମିଳିଛି। ଗତକାଲି ନିର୍ଭୟା ଦୋଷୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଏହା ପରେ ଫାଶୀ ସୁନିଶ୍ଚିତ ହୋଇଯାଇଥିଲା । ଦୋଷୀମାନଙ୍କ ଓକିଲ ମଧ୍ୟ ରାତି ୧ଟା ୩୦ରେ ସୁପ୍ରିମକୋର୍ଟ ପହଞ୍ଚିଥିଲେ । ପ୍ରାୟ ସାଢ଼େ ୪ଟାରେ ଚାରି ଦୋଷୀ ଶାରୀରିକ ଭାବେ ସୁସ୍ଥ ଅଛନ୍ତି କି ନାହିଁ ତାହା ପରୀକ୍ଷା କରାଯାଇଥିଲା ।
ଫାଶୀ ପୂର୍ବରୁ ତିହାର ଜେଲରେ ଅର୍ଦ୍ଧସୈନିକ ବଳ ମୁତୟନ ଥିଲେ । ନିର୍ଭୟା ଦୋଷୀମାନଙ୍କୁ ସେମାନଙ୍କ ସେଲ ଭିତରୁ ଫାଶୀଗୃହକୁ ନିଆଯାଇଥିଲା । ଦୋଷୀମାନଙ୍କ ସହ ସୁପରିଟେଣ୍ଡେଣ୍ଟ ଓ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ । ଏହି ସମୟରେ ତିହାର ଜେଲ ବାହାରେ ବହୁ ସଂଖ୍ୟାରେ ଲୋକ ଭିଡ ଥିଲେ । ପ୍ରତ୍ୟେକ ଦୋଷୀଙ୍କ ସହିତ ୧୨ ଜଣ ସୁରକ୍ଷାକର୍ମୀ ଥିଲେ । ମୋଟ ୪୮ ଜଣ ସୁରକ୍ଷା କର୍ମୀ ୪ ଜଣଙ୍କ ପାଖରେ ଥିଲେ । ୫ଟା ୨୮ରେ ଦୋଷୀମାନଙ୍କ ମୁହଁରେ କପଡ଼ା ବାନ୍ଧି ଦିଆଯାଇଥିଲା । ଠିକ ସାଢ଼େ ୫ଟା ୩୦ରେ ତିନି ନମ୍ବର ଜେଲରେ ପବନ, ଅକ୍ଷୟ, ମୁକେଶ ଓ ବିନୟଙ୍କୁ ଫାଶୀ ଦିଆଯାଇଥିଲା । ଚାରି ଜଣ ଦୋଷୀଙ୍କୁ ଫାଶୀ ମିଳିବା ପରେ ତିହାର ଜେଲ ବାହାରେ ଭାରତ ମାତା କି ଜୟ ଶ୍ଲୋଗାନ ଶୁଭିଥିଲା ।

















