କାବୁଲରେ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ:୨୯ ଜଣ ନିହତ ଓ ୩୦ ଆହତ

327
ADVERTISEMENT

କାବୁଲ,୦୭/୦୩ (ଏ.ଜ.ସି) : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ ହୋଇଛି। ଏଥିରେ ଅନୂ୍ୟନ ୨୯ ଜଣ ନିହତ ଓ ୩୦ ଆହତ ହୋଇଛନ୍ତି। ଦେଶର ମୁଖ୍ୟ କାର୍ୟ୍ୟନିର୍ବାହୀ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କୁ ଟାର୍ଗେଟ କରି ଏହି ଗୁଳିକାଣ୍ଡ ଘଟାଯାଇଲା। ତେବେ ସେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଲିବାନ ସହ ଆମେରିକାର ଚୁକ୍ତି ସ୍ବାକ୍ଷର ପରେ ଏହା ହେଉଛି ସବୁଠୁ ବଡ଼ ଘାତକ ଆକ୍ରମଣ।


ଆଫଗାନିସ୍ତାନର ହେଜବ-ଇ ଓ୍ବାହଦାତ ପାର୍ଟି ନେତା ଅବ୍‌ଦୁଲ ଅଲି ମଜାରିଙ୍କୁ ତାଲିବାନ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଶୁକ୍ରବାର କାବୁଲରେ ମଜାରିଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳନ କରାଯାଉଥିଲା। ଏହି ସମାରୋହରେ ଆଫଗାନିସ୍ତାନର ଚିଫ୍‌ ଏକ୍‌ଜ୍ୟୁକେଟିଭ୍‌ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଳା, ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାର୍‌ଜାଇ, ହାଇ ପିସ୍‌ କାଉନ୍‌ସିଲ ଅଧ୍ୟକ୍ଷ ମହମ୍ମଦ କରିମ ଖଲିଲି, ସେକେଣ୍ଡ ଡେପୁଟି ଚିଫ୍‌ ଏକ୍‌ଜ୍ୟୁକେଟିଭ୍‌ ମହମ୍ମଦ ମହକିକ୍‌ଙ୍କ ସମେତ ଅନ୍ୟ କେତେଜଣ ରାଜନେତା ଏଥିରେ ସାମିଲ ଥିଲେ।

ପୂର୍ବାହ୍ନ ୧୧ଟା ୨୦ରେ ଖଲିଲି ଭାଷଣ ଦେଉଥିବାବେଳେ ସଭାସ୍ଥଳ ନିକଟ ଏକ ନିର୍ମାଣାଧୀନ କୋଠାରୁ ଜଣେ ବନ୍ଧୁକଧାରୀ ହଠାତ୍‌ ଗୁଳି ଚଳାଇଥିଲେ। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅବ୍‌ଦୁଲ୍ଲା, କାରଜାଇ ଓ ଖଲିଲି ସୁରକ୍ଷିତ ଭାବେ ଘରକୁ ଫେରିବାରେ ସକ୍ଷମ ହୋଇଥିଲେ। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ବିବୃତିରେ କହି ସଙ୍ଗଠନର କୌଣସି ଫାଇଟର ସମ୍ପୃକ୍ତ ନ ଥିବା କହିଛନ୍ତି।

Advertisement