ନୂଆଦିଲ୍ଲୀ, ୦୩/୩ (ଡ଼ିଏଚ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଚିତ୍ରକୁଟଠାରେ ୨୯୬ କି.ମି ଦୀର୍ଘ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଏକ୍ସପ୍ରେସୱେ ଫେବୃଆରୀ ୨୦୧୮ରେ ଘୋଷିତ ଉତ୍ତରପ୍ରଦେଶ ପ୍ରତିରକ୍ଷା ଔଦ୍ୟୋଗିକ କରିଡର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତିର ଅଂଶବିଶେଷ । ୧୪,୮୪୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଏକ୍ସପ୍ରେସୱେ ଦ୍ୱାରା ଚିତ୍ରକୁଟ, ବାନ୍ଦା, ମହୁବା, ହମିରପୁର, ଜାଲୋନ, ଔରେୟା ଏବଂ ଇଟାୱା ଜିଲାବାସୀ ସୁଫଳ ପାଇପାରିବେ । ଏହି କାର୍ୟ୍ୟକ୍ରମରେ ଶନିବାର ସାରାଦେଶରେ ୧୦ ହଜାର କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ର ଶୁଭାରମ୍ଭ ମଧ୍ୟ କରାଯାଇଥିଲା । ପ୍ରଧାନମନ୍ତ୍ରୀ ପିଏମ କୃଷକ ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ (କେସିସି) ଆବଣ୍ଟନ ପାଇଁ ଅଭିଯାନର ମଧ୍ୟ ଆରମ୍ଭ କରିଥିଲେ ।
ଦେଶରେ ରୋଜଗାର ସୃଷ୍ଟି ପାଇଁ ଅନେକ ପଦକ୍ଷେପ ନେବାକୁ ସରକାରଙ୍କ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ ତଥା ପ୍ରସ୍ତାବିତ ଗଙ୍ଗା ଏକ୍ସପ୍ରେସୱେ ଦ୍ୱାରା ଉତ୍ତର ପ୍ରଦେଶ ସହ ସଂପର୍କ ବୃଦ୍ଧି ହେବା ସହ ନିଯୁକ୍ତିର ଅନେକ ସୁଯୋଗ ସୃଷ୍ଟି ଏବଂ ଏହା ବଡ ସହରଗୁଡିକରେ ଉପଲବ୍ଧ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ ।
ଜମି ପ୍ରଣାଳୀ, ଜାହାଜ ଏବଂ ବୁଡା ଜାହାଜଠାରୁ ଆରମ୍ଭ କରି ଯୁଦ୍ଧ ବିମାନ, ହେଲିକପ୍ଟର, ଯୁଦ୍ଧ ସରଞ୍ଜାମ, ସେନ୍ସର ଭଳି ପ୍ରତିରକ୍ଷା ଉପକରଣଗୁଡିକର ବ୍ୟାପକ ଆବଶ୍ୟକତାଗୁଡିକର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଚଳିତ ବର୍ଷ ବଜେଟରେ ଉତ୍ତର ପ୍ରଦେଶ ପ୍ରତିରକ୍ଷା କରିଡର ପାଇଁ ୩୭୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେ କହିଥିଲେ ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଦ୍ୱାରା ଉତ୍ତର ପ୍ରଦେଶ ପ୍ରତିରକ୍ଷା କରିଡରକୁ ମଧ୍ୟ ସୁଫଳ ମିଳିବ ।
ଦେଶର କୃଷକମାନଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କର ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ୧୦ ହଜାର ଏଫପିଓ ତଥା କୃଷକ ଉତ୍ପାଦକ ସଂଗଠନଗୁଡିକର ପ୍ରତିଷ୍ଠା ପାଇଁ ଏକ ଯୋଜନାର ଶୁଭାରମ୍ଭ କରିଥିଲେ । ସେ କହିଥିଲେ ଯେ କୃଷକମାନେ ଯେଉଁମାନେ ଏ ପର୍ୟ୍ୟନ୍ତ ଉତ୍ପାଦନକାରୀ ଥିଲେ ସେମାନେ ଏବେ ଏଫପିଓ ଜରିଆରେ ବ୍ୟବସାୟ ମଧ୍ୟ କରିବେ । କୃଷକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ଅନେକ ପଦକ୍ଷେପଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୃଷକମାନଙ୍କ କଲ୍ୟାଣ ସଂପର୍କୀତ ସମସ୍ତ କ୍ଷେତ୍ରରେ କାର୍ୟ୍ୟ କରିଛନ୍ତି । ଏଥିରେ ଏମଏସପି, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ, ୟୁରିଆର ଶତ ପ୍ରତିଶତ ନିମ କୋଟିଙ୍ଗ ଏବଂ ଦଶନ୍ଧି ଦଶନ୍ଧି ଧରି ଅଧା ପନ୍ତରିଆ ଥିବା ସିଞ୍ଚାଇ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ କରିବା ଆଦି ସାମିଲ ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଫପିଓ କୃଷକମାନଙ୍କ ପ୍ରଚେଷ୍ଟାକୁ ଦିଗଦର୍ଶନ ଦେବାର ସାହାଯ୍ୟ କରିବ ଯାହା ଫଳରେ ସେମାନେ ନିଜ ଉତ୍ପାଦକୁ ଭଲ ଦାମରେ ବିକ୍ରୟ କରିପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଦେଶର ୧୦୦ରୁ ଅଧିକ ଆକାଂକ୍ଷିତ ଜିଲ୍ଲାଗୁଡିକରେ ଏଫିପିଓଗୁଡିକୁ ପ୍ରୋତ୍ସାହିତ କରିବାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ଲେଖାଏ ଏଫପିଓ ଗଠନ ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚିତ୍ରକୁଟ ସହିତ ଉତ୍ତର ପ୍ରଦେଶର ପାଖାପଖି ୨ କୋଟି କୃଷକ ପରିବାର ଏକ ବର୍ଷରେ ୧୨ ହଜାର କୋଟି ଟଙ୍କାରୁ ଅଧିକ ପ୍ରାପ୍ତ କରୁଛନ୍ତି, ଏହା କୌଣସି ଭେଦଭାବ ଏବଂ ମଧ୍ୟସ୍ଥି ବିନା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି । ସେ ଏହାର ତୁଳନା କରିଥିଲେ ଯେତେବେଳେ ବୁନ୍ଦେଲଖଣ୍ଡର କୃଷକମାନଙ୍କ ନାମରେ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଉଥିଲା, କିନ୍ତୁ ପ୍ରକୃତ ପକ୍ଷେ କୃଷକ ପାଖକୁ କିଛି ମଧ୍ୟ ପହଞ୍ଚୁନଥିଲା । ସେ କହିଥିଲେ ଯେ ପିଏମ-କୃଷକ ଯୋଜନାର ହିତାଧିକାରୀମାନଙ୍କୁ ଏବେ ପିଏମ-ଜୀବନଜ୍ୟୋତି ବୀମା, ପିଏମ-ଜୀବନ ସୁରକ୍ଷା ବୀମା ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି । ସେ କହିଥିଲେ ଯେ ଏହାଦ୍ୱାରା ବିପଦ ସମୟରେ କୃଷକମାନଙ୍କୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବୀମା ଅର୍ଥ ସୁନିଶ୍ଚିତ କରାଯିବ ।
ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ୧୬ ସୂତ୍ରୀ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସେ କହିଥିଲେ ଯେ ସରକାର ଏହା ମଧ୍ୟ ସୁନିଶ୍ଚିତ କରିବାର ପ୍ରଚେଷ୍ଟା କରୁଛନ୍ତି ଯେ କୃଷକମାନଙ୍କ ଜମିଠାରୁ କିଛି କିଲୋମିଟର ଦୂରରେ ଗ୍ରାମୀଣ ହାଟର ସୁବିଧା ଉପଲବ୍ଧ କରାଯିବ ଯାହା ଜରିଆରେ ସେହି କୃଷକମାନଙ୍କୁ ଦେଶର ଯେ କୌଣସି ବଜାର ସହିତ ଯୋଡା ଯାଇପାରିବ । ଆଗାମୀ ସମୟରେ ଏହି ଗ୍ରାମୀଣ ହାଟ କୃଷି ଅର୍ଥ ବ୍ୟବସ୍ଥାର ନୂତନ କେନ୍ଦ୍ର ହୋଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ ।

















