ନୂଆଦିଲ୍ଲୀ, ୦୨/୩ (ପିଆଇବି) : ଉତ୍ତରପ୍ରଦେଶ ପ୍ରୟାଗରାଜଠାରେ ଏକ ବୃହତ ବିତରଣ ଶିବିର (ବର୍ତ୍ତମାନ ସୁଦ୍ଧା ସର୍ବବୃହତ ‘ସାମାଜିକ ଅଧିକର୍ତ୍ତା ଶିବିର’)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଖାପାଖି ୨୭,୦୦୦ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହାୟକ ସାମଗ୍ରୀ ଓ ସହାୟତା ବଣ୍ଟନ କରିଛନ୍ତି ।
ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା – ଆର୍ଭିୱାଇ ଅଧୀନରେ ବରିଷ୍ଠ ନାଗରିକଙ୍କୁ ସଶକ୍ତ କରିବା ଏବଂ ଭାରତ ସରକାରଙ୍କ ଏଡିଆଇପି ସ୍କିମ୍ ଅଧୀନରେ ଏହି ବୃହତ ବିତରଣ ଶିବିର ଆୟୋଜିତ ହୋଇଥିଲା ।
ଏକତ୍ର ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସଂସ୍କୃତର ଏକ ଅନୁଶାସନ ଉକ୍ତିକୁ ଉଦ୍ଧୃତ କରି କହିଲେ, ସ୍ୱସ୍ତିଃ ପ୍ରଜାଭ୍ୟଃ ପରିପାଳୟଂନ୍ତାମ୍, ନ୍ୟାୟେନ ମାର୍ଗେଣ ମହିଂ ମହିଶାଃ । ଅର୍ଥାତ୍ ସମାନ ନ୍ୟାୟ ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ ଅଟେ ।
ପ୍ରଧାନମନ୍ତ୍ରୀ କହିଲେ, ଏହି ଅନୁଶାସନ ହିଁ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଆଦର୍ଶର ମୂଳ ଆଧାର । ଏହି ଭାବନା ସହ ଆମ ସରକାର ସମାଜର ପ୍ରତ୍ୟେକଙ୍କ ଜନମଙ୍ଗଳ ଓ ବିକାଶ ପାଇଁ କାର୍ୟ୍ୟ କରୁଛି । ୧୩୦ କୋଟି ଭାରତୀୟ, ସେମାନେ ବରିଷ୍ଠ ନାଗରିକ ହୁଅନ୍ତୁ ବା ଦିବ୍ୟାଙ୍ଗଜନ ଅଥବା ଆଦିବାସୀ କି ନିଷ୍ପେସିତଙ୍କ ସ୍ୱାର୍ଥରକ୍ଷା କରିବା ମୋ ସରକାରର ପ୍ରଥମ ପ୍ରାଥମିକତା ।
ଏହି ବୃହତ ସହାୟତା ଓ ସହାୟକ ସାମଗ୍ରୀ ବିତରଣ ଶିବିରକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ, ଦେଶର ସମସ୍ତଙ୍କୁ ଉତ୍ତମ ଜୀବନଶୈଳୀ ପ୍ରଦାନ କରିବା ସରକାରଙ୍କ ପଦକ୍ଷେପର ଏକ ଅଂଶବିଶେଷ ।
ପୂର୍ବ ସରକାର ସମୟରେ ଏଭଳି ବିତରଣ କ୍ୟାମ୍ପ ବିରଳ ଥିଲା ଓ ବହୁତ କମ୍ ଆୟୋଜନ ହେଉଥିଲା । ଗତ ୫ ବର୍ଷ ମଧ୍ୟରେ ଆମ ସରକାର ଦେଶର ବିଭିନ୍ନ ଭାଗରେ ଏଭଳି ୯,୦୦୦ କ୍ୟାମ୍ପ୍ ଆୟୋଜନ କରିଛି ।
ପ୍ରଧାନମନ୍ତ୍ରୀ କହିଲେ, ସରକାର ଗତ ୫ ବର୍ଷରେ ଦିବ୍ୟାଙ୍ଗଜନଙ୍କୁ ୯୦୦ କୋଟି ଟଙ୍କା ମୂଲ୍ୟର ସହାୟତା ଓ ସାମଗ୍ରୀ ବଣ୍ଟନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ, “ଏକ ନୂଆ ଭାରତର ବିକାଶରେ ଦିବ୍ୟାଙ୍ଗଜନ ଯୁବଗୋଷ୍ଠୀ ଓ ପିଲାମାନଙ୍କର ମଧ୍ୟ ସମାନ ଅଂଶଗ୍ରହଣ ବେଶ୍ ଜରୁରୀ । ସେମାନଙ୍କୁ ଶିଳ୍ପ କ୍ଷେତ୍ର, ସେବା କ୍ଷେତ୍ର କିମ୍ବା କ୍ରୀଡ଼ା କ୍ଷେତ୍ରରେ ଯିବାକୁ ସରକାର ପ୍ରୋତ୍ସାହିତ କରୁଛନ୍ତି ।”
“ଆମ ସରକାର ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ବ୍ୟକ୍ତି ଅଧିକାର ଆଇନ ଆଣିଛି । ଏହା ଜରିଆରେ ଦିବ୍ୟାଙ୍ଗ ବର୍ଗକୁ ୭ରୁ ୨୧କୁ ସମ୍ପ୍ରସାରଣ କରାଯାଇଛି । ସେହିଭଳି ଆମେ ଉଚ୍ଚ ଶିକ୍ଷାରେ ଦିବ୍ୟାଙ୍ଗଜନଙ୍କ ପାଇଁ କୋଟା ପରିମାଣରକୁ ୩%ରୁ ୫%କୁ ବଢ଼ାଇଛୁ ।”
ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ୫ ବର୍ଷରେ ଦେଶରେ ଅନେକ କୋଠାବାଡି, ୭୦୦ରୁ ଅଧିକ ରେଳ ଷ୍ଟେସନ ଓ ବିମାନବନ୍ଦରକୁ ଦିବ୍ୟାଙ୍ଗଙ୍କ ଅନୁକୂଳ କରାଯାଇଛି । ସୁଗମ୍ୟ ଭାରତ ଅଭିଯାନ ସହ ଲିଙ୍କ କରି ବଳକା ରେଳ ଷ୍ଟେସନ, ବିମାନବନ୍ଦରକୁ ମଧ୍ୟ ଦିବ୍ୟାଙ୍ଗ ଅନୁକୂଳ କରାଯିବ ବୋଲି ସେ କହିଛନ୍ତି ।
ହିତାଧିକାରୀଙ୍କ ସଂଖ୍ୟା, ବଣ୍ଟନ ହୋଇଥିବା ଉପକରଣ ସଂଖ୍ୟା, ଉପକରଣ ଓ ସହାୟତାର ମୂଲ୍ୟ ଆଧାରରେ ଏହା ଦେଶର ସବୁଠାରୁ ବଡ଼ ବିତରଣ ଶିବିର ।
ଏହି ବୃହତ ଶିବିରରେ ୨୬,୦୦୦ରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ୫୬,୦୦୦ରୁ ଅଧିକ ସହାୟକ ସାମଗ୍ରୀ ମାଗଣାରେ ବଣ୍ଟନ କରାଯାଇଥିଲା । ଏହି ସହାୟତା ଓ ସାମଗ୍ରୀଗୁଡିକର ମୂଲ୍ୟ ୧୯ କୋଟି ଟଙ୍କାରୁ ଅଧିକ ।
ଏହି ସହାୟତା ଓ ସାମଗ୍ରୀ ଜରିଆରେ ଦିବ୍ୟାଙ୍ଗଜନ ଓ ବରିଷ୍ଠ ନାଗରିକଙ୍କ ଦୈନନ୍ଦିନ ଜୀବନ ଓ ସାମାଜିକ-ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟରେ ସହାୟତା କରିବା ଏହାର ମୂଳ ଉଦ୍ଦେଶ୍ୟ ।



















