ସମସ୍ତ ପିଏମ୍ କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ ପ୍ରଦାନ ପାଇଁ ସ୍ୱତନ୍ତ୍ର ଅଭିଯାନ

253
ADVERTISEMENT

ନୂଆଦିଲ୍ଲୀ, ୦୨/୦୩ (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଫେବ୍ରୁଆରୀ, ୨୦୨୦ରେ ଦେଶରେ ୧୦ ହଜାର କୃଷକ ଉତ୍ପାଦନ ସଂଗଠନ (FPO) ଆରମ୍ଭ କରିବେ ।

ଦେଶର ପ୍ରାୟ ୮୬ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବା ବେଳେ ସେମାନଙ୍କ ନିକଟରେ ୧.୧ ହେକ୍ଟରରୁ କମ୍ ଜମି ପଟ୍ଟା ରହିଛି । କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମାନେ କୃଷି ଉତ୍ପାଦନ ପର୍ୟ୍ୟାୟରେ ପ୍ରଯୁକ୍ତି, ଉନ୍ନତ ମାନର ବିହନ, ସାର, କୀଟନାଶକ ଓ ଆବଶ୍ୟକ ଅର୍ଥ ଯୋଗାଡ଼ରେ ଗୁରୁତର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେହିପରି ଆର୍ଥିକ ସାମର୍ଥ୍ୟ ନଥିବାରୁ ନିଜ ଉତ୍ପାଦର ବିପଣନ ପାଇଁ ମଧ୍ୟ ସେମାନେ ସମସ୍ୟା ଭୋଗିଥାନ୍ତି ।

ଏଫପିଓଗୁଡ଼ିକ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଏକାଠି କରିବା ସହ ଏସବୁ ସମସ୍ୟାର ମୁକାବିଲା ପାଇଁ ସାମୂହିକ ଶକ୍ତି ପ୍ରଦାନ କରିବ । ଏଫପିଓର ସଦସ୍ୟମାନେ ମିଳିତ ଭାବେ କାମ କରି ଚାଷୀଙ୍କ ରୋଜଗାର ଦ୍ରୁତ ବୃଦ୍ଧି ପାଇଁ ପ୍ରଯୁକ୍ତି, ସାର ଓ ବିହନ, ଅର୍ଥ ଓ ବିପଣନ ଆଦି ସହଜ ଲଭ୍ୟ କରାଇବେ ।

ପିଏମ କିଷାନର ଏକ ବର୍ଷ ପୂର୍ତ୍ତି

ପିଏମ-କିଷାନ ଯୋଜନା ଆରମ୍ଭର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହେଉଛି ।

ମୋଦୀ ସରକାର କୃଷକମାନଙ୍କ ଆୟ ସମର୍ଥନ ଯୋଜନା ଭାବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଚାଷୀମାନେ କୃଷି ଓ ଏହା ସହିତ ଜଡ଼ିତ କାମ ତଥା ଘରୋଇ ଆବଶ୍ୟକତା ତୁଲାଇ ପାରିବେ ।

ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ତିନିଟି ଚାରି ମାସିଆ କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ବାର୍ଷିକ ୬ ହଜାର ଟଙ୍କା ପର୍ୟ୍ୟନ୍ତ ଲାଭ ପ୍ରଦାନ କରାଯାଉଛି । ଏହି ଅର୍ଥ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତରଣ ପ୍ରକ୍ରିୟା ଦ୍ୱାରା ଅନଲାଇନରେ ଜମା ହୋଇଛି ।

ଏହି ଯୋଜନା ୨୪ ଫେବ୍ରୁଆରୀ, ୨୦୧୯ରେ ଆରମ୍ଭ ହୋଇଥିଲା ଓ ୨୪ଫେବ୍ରୁଆରୀ, ୨୦୨୦ ରୂପାୟନର ଏକ ବର୍ଷ ସଫଳତାର ସହ ପୂରଣ କରିଥିଲା ।

ମୋଦୀ ୨.୦ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ସବୁ ଚାଷୀଙ୍କୁ ପିଏମ-କିଷାନ ଯୋଜନାରେ ସାମିଲ କରିବାକୁ ଐତିହାସିକ ନିଷ୍ପତ୍ତି ନିଆ ଯାଇଥିଲା ।

ସମସ୍ତ ପିଏମ କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ (କଉଉ) ପ୍ରଦାନ ପାଇଁ ସ୍ୱତନ୍ତ୍ର ଅଭିଯାନ

ପିଏମ କିଷାନ ଯୋଜନାର ସମସ୍ତ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ (କେସିସି) ବଣ୍ଟନ ପାଇଁ ପ୍ରଧାନମନ୍ତ୍ରୀ ୨୯ ଫେବ୍ରୁଆରୀ, ୨୦୨୦ରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ ।

ପିଏମ କିଷାନ ଯୋଜନାର ପ୍ରାୟ ୮.୫ କୋଟି ହିତାଧିକାରୀଙ୍କ ମଧ୍ୟରୁ ୬.୫ କୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ କିଷାନ କ୍ରେଡିଟ କାର୍ଡ ରହିଛି ।

ବଳକା ପ୍ରାୟ ୨ କୋଟି ପିଏମ କିଷାନ ହିତାଧିକାରୀଙ୍କୁ ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ କିଷାନ କ୍ରେଡିଟ କାର୍ଡ ବଣ୍ଟାଯିବ ।

ସମସ୍ତ ପିଏମ କିଷାନ ହିତାଧିକାରୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ପ୍ରଦାନରେ ସାହାଯ୍ୟ କରିବା ପାଇଁ ୧୨ ଫେବ୍ରୁଆରୀରୁ ୨୬ ଫେବ୍ରୁଆରୀ ଯାଏଁ ଏକ ୧୫ ଦିନିଆ ସ୍ୱତନ୍ତ୍ର ଅଭିଯାନ ହୋଇଥିଲା । ଏଥିରେ ଗୋଟିଏ ପୃଷ୍ଠାର ଫର୍ମରେ ମୌଳିକ ତଥ୍ୟ ଯେପରିକି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଜମିପଟ୍ଟା ତଥ୍ୟ ଓ ଚାଷୀ ଜଣକ ଅନ୍ୟ କୌଣସି ବ୍ୟାଙ୍କର କେସିସି ହିତାଧିକାରୀ ନୁହନ୍ତି ବୋଲି ସାଧାରଣ ଘୋଷଣାପତ୍ର ଦେବାକୁ ପଡ଼ିଥିଲା ।

୨୬ ଫେବ୍ରୁଆରୀ ସୁଦ୍ଧା ଆବେଦନ କରିଥିବା ସମସ୍ତ ପିଏମ କିଷାନ ହିତାଧିକାରୀଙ୍କୁ ଫେବ୍ରୁଆରୀ ୨୯ରେ ବ୍ୟାଙ୍କ ଶାଖାକୁ ଡାକି କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ।

Advertisement