ହାଇଦ୍ରାବାଦ ହାଉସ: ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମ୍ପର୍କ ହେବ

308
PC: PIB
ADVERTISEMENT

ନୂଆଦିଲ୍ଲୀ, ୨୫/୨(ଡ଼ିଏଚ) : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଐତିହାସିକ ଭାରତ ଗସ୍ତର ଦ୍ୱିତୀୟ ଦିନରେ, ଭାରତ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହେଲା ବହୁ ପ୍ରତୀକ୍ଷିତ ୩୦୦ କୋଟି ଡଲାର ମୂଲ୍ୟର ପ୍ରତିରକ୍ଷା ଚୁକ୍ତି । ଦୁଇଦେଶର ପ୍ରତିନିଧି ପ୍ରତିରକ୍ଷା ଚୁକ୍ତି ଉପରେ ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଫଳରେ ଆମେରିକା ଭାରତକୁ ଅତ୍ୟାଧୁନିକ ସାମରିକ ଉପକରଣ ଯୋଗାଇଦେବ।

ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଆଲୋଚନା ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ସାମ୍ୱାଦିକମାନଙ୍କ ସହ କଥା ହେବା ସମୟରେ ମୋଦୀ କହିଥିଲେ, ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମ୍ପର୍କ ହେବ । ସେଥିଲାଗି ଟ୍ରମ୍ପ ଏବଂ ମୁଁ ଆମ ସମ୍ପର୍କକୁ କମ୍ପ୍ରିହେନଶିଭ୍‌ ଗ୍ଲୋବାଲ ଷ୍ଟାଟେଜିକ ପାର୍ଟନରଶିପ ସ୍ତରକୁ ନେବା ଲାଗି ନିଷ୍ପତ୍ତି ନେଇଛୁ ।

ନିଶାଦ୍ରବ୍ୟ ଚାଲାଣ, ଆତଙ୍କବାଦ ଏବଂ ସଂଗଠିତ ଅପରାଧ ଭଳି ଗମ୍ଭୀର ସମସ୍ୟାଗୁଡ଼ିକ ସମ୍ପର୍କରେ ଏକ ନୂଆ ମେକାନିଜିମ ଆଣିବା ଲାଗି ଦୁଇ ଦେଶ ମଧ୍ୟରେ ସହମତି ହୋଇଛି। ତୈଳ ଏବଂ ଗ୍ୟାସ୍‌ କ୍ଷେତ୍ରରେ ଆମେରିକା ଭାରତର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଉତ୍ସ ହୋଇଛି। ଏହି କ୍ଷେତ୍ରରେ ଆମର ନିବେଶ ମଧ୍ୟ ବଢ଼ିଛି। ଖୁବ୍‌ଶୀଘ୍ର ଏକ ବଡ଼ ବାଣିଜ୍ୟିକ ଚୁକ୍ତି ଉପରେ ଆମେ ଆଲୋଚନା କରିବୁ।

ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ମୋଦୀ ଟ୍ରମ୍ପ ଏବଂ ତାଙ୍କ ପ୍ରତିନିଧିମଣ୍ଡଳଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଟ୍ରମ୍ପ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଆସିଥିବାରୁ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ଆମ ମଧ୍ୟରେ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟିକ ସମ୍ପର୍କ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୋଦୀ ।

Advertisement