ନୂଆଦିଲ୍ଲୀ,୧୨/୨(ଲକ୍ଷ୍ମୀ ନାରାୟଣ ବେବର୍ତ୍ତା ) : ଯାତ୍ରୀ ଭଡା ବାବଦରେ ହେଉ କିମ୍ବା ମାଲ ପରିବହନ ଦିଗରେ ହେଉ ରାଜ୍ୟ ସରକାର ପ୍ରତିବର୍ଷ କେନ୍ଦ୍ର ସରକାରଙ୍କୁ ପନ୍ଦରହଜାର କୋଟି ଟଙ୍କା ରାଜସ୍ବ ପ୍ରଦାନ କରି ଆସୁଥିବାବେଳେ ଓଡିଶାର ରେଳବିକାଶ ଓ ଅର୍ଥନୈତିକ ବିକାଶ ଦିଗରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଗୁରୁତ୍ୱ ନଦେବା ଦୁଃଖଦାୟିକ ବୋଲି ଗତକାଲି ଏଠାରେ , କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ପିୟୁସି ଗୋୟଲଙ୍କୁ ସାକ୍ଷାତ ଆଲୋଚନା ଓ ସ୍ମାରକ ପତ୍ର ପ୍ରଦାନ କରିବାକୁ ଆସିଥିବା ରାଜ୍ୟ ବିଧାନସଭା ରେଳବାଇ ଗୃହ କମିଟିର ଅଧକ୍ଷ ତଥା ରାଜ୍ୟର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯିବା ପୂର୍ଵରୁ ବାଚସ୍ପତି ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଥିଲେ ଯେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଉଦ୍ୟୋଗୀକରଣ ଓ ଗମନାଗମନ ଦୃଷ୍ଟିରୁ ରେଳପଥର ପ୍ରକୃଷ୍ଟ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଦୀର୍ଘ ବର୍ଷ ବର୍ଷ ଧରି ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଯେଉଁ ଭଳି ହେବା କଥା ତାହା ହେଉ ନାହିଁ ବିଭିନ୍ନ ପ୍ରକଳ୍ପ ଅଧା ପନ୍ତରୀଆ ହୋଇ ପଡି ରହିଛି ଯାହା ବି କାର୍ଯ୍ୟ ଚାଲିଛି ତାହା ଅତି ମନ୍ଥର ଗତିରେ ଚାଲିଛି । ପୂର୍ଵ ବର୍ଷ ତୁଳନାରେ ଚଳିତବର୍ଷ ରାଜ୍ୟର ରେଳ ବିକାଶ ପାଇଁ ମାତ୍ର ୧୬୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ର ଓ ରାଜ୍ୟର ବିକାଶ ପାଇଁ ରାଜ୍ୟସରକାର ଜମି ଆକାରରେ ଓ ଅର୍ଥ ଆକାରରେ ପାଞ୍ଚହଜାର କୋଟି ଟଙ୍କା ପ୍ରଦାନ କରୁଛନ୍ତି । ରାଜ୍ୟରେ ପ୍ରାକୃତିକ ସମ୍ପଦ ଓ ଖଣିଜ ସମ୍ପଦ ଭରପୁର ରହିଥିବା ବେଳେ ଓ ଦ୍ରୁତ ଶିଳ୍ପାୟlନ ପାଇଁ ବୁଝାବଣା ପତ୍ର ସ୍ୱାକ୍ଷରିତ ହୋଇଆସୁ ଥିବାବେଳେ କେନ୍ଦ୍ର ରେଳମନ୍ତ୍ରଣାଳୟ ରାଜ୍ୟର ବିକାଶ ଦିଗରେ ସହଯୋଗ ନ କରିବା କ୍ଷୋଭର ବିଷୟ ଏଣୁ ରାଜ୍ୟରେ ରେଳବାଇ କ୍ଷେତ୍ରରେ ଅଭିବୃଦ୍ଧି, ବିକାଶ ସହ ବିଭିନ୍ନଚାଲୁ ପ୍ରକଳ୍ପ କାର୍ଯ୍ୟକୁ ତୁରାନ୍ନିତ କରିବା ଓ ଏଥିନେଇ ଅଧିକ ଅର୍ଥ ପ୍ରଦାନ କରିବl ପାଇଁ ଗୃହ କମିଟି ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଆଜି ଦୃଷ୍ଟି ଆକର୍ଷଣ କରିବ ଏବଂ ସ୍ମାରକପତ୍ର ପ୍ରଦାନ କରିବ ବୋଲି ଶ୍ରୀ ପାତ୍ର କହିଥିଲେ । ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅନେକ ସମୟରେ ଛୋଟ ବଡ଼ ରେଳପଥ ଓ ପ୍ରକଳ୍ପ କାର୍ଯ୍ୟକୁ ଅବିଳମ୍ବେ ତ୍ୱରାନ୍ନିତ କରିବା ପାଇଁ କେନ୍ଦ୍ର କୁ ବହୁବାର ପତ୍ର ମାଧ୍ୟମରେ ଜଣାଇଛନ୍ତି l କିନ୍ତୁ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଉନାହିଁ l ରାଜ୍ୟରେ ରେଳବାଇର ବିକାଶ ହେଲେ କେବଳ ରାଜ୍ୟ ନୁହେଁ କେନ୍ଦ୍ର ମଧ୍ୟ ଏଥିରେ ଲାଭବାନ ହେବ. ରାଜ୍ୟର ହିତ ଦୃଷ୍ଟିରୁ ବିଭିନ୍ନ ଦାବୀ ଓ ଅଟକିଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କ ରେମାନ୍ୟବର ରେଳ ମନ୍ତ୍ରୀ ଙ୍କ ସହ ସନ୍ଧ୍ୟାରେ ଆଲୋଚନା ହେବ ବୋଲି ଶ୍ରୀ ପାତ୍ର କହିଥିଲେ l ସାକ୍ଷାତ ଆଲୋଚନାହୋଇ ସାରିବା ପରେ ଶ୍ରୀ ପାତ୍ର ପୁନଃ ଗଣମାଧ୍ୟମ କୁ କହିଥିଲେ ଯେ ରାଜ୍ୟ ରେ ୧୯୯୪ମସିହା ପରଠାରୁ କ୍ରମାଗତ ଭାବେ ବିଭିନ୍ନ ବର୍ଷରେ ମଞ୍ଜୁରୀ ହୋଇଆସି ଥିବା ବିଭିନ୍ନ ନୂତନ ରେଳପଥ ଯାହାକି ଖୋର୍ଦ୍ଧା -ବଲାଙ୍ଗୀର, ହରିଦାସପୁର -ପାରାଦୀପ, ଅନୁଗୁଳ -ଡ଼ୁବୁରୀ -ସୁକିନ୍ଦାରୋଡ, ତାଳଚେର -ବିମଲଗଡ଼, ଜଳେଶ୍ୱର-ଦିଘା, ଜୟପୁର -ମାଲକାନଗିରି, ନୌପଡା -ଗୁଣୁପୁର ରେଳପଥକୁ ତେରୁବାଲି ଯାଏ ସମ୍ପ୍ରସାରଣ କରିବା ସହ ରାଜ୍ୟ କେତକ ଷ୍ଟେସନର ଆଧୁନିକରଣ କରିବା, ଗଞ୍ଜାମର ଶୀତଳlପାଲ୍ଲୀ ଠାରେ ୱାଗନ କାରଖାନା ସ୍ଥାପନl, କଣ୍ଟାବାଞ୍ଜି ଓ ବାଣ୍ଡlମୁଣ୍ଡ ,ଠାରେ କଂକ୍ରିଟ ସ୍ଲୀପର ପ୍ଲାଣ୍ଟସ ସ୍ଥାପନl ସହ ରାଜ୍ୟର ଅନ୍ୟନ୍ୟ ରେଳ ବାଇ ଦାବୀ ସମ୍ପର୍କରେ କମିଟି ଆଜି ରେଳ ମନ୍ତ୍ରୀଙ୍କ ଠାରେ ଉପସ୍ଥାପନା କରିଛି । ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହ ଏଥିନେଇ ପୁଙ୍ଖାନୁପୁଙ୍ଖl(ବିଷଦ )ଭାବେ ଆଲୋଚନା ହୋଇସାରିଛି । ଆଲୋଚନା ପ୍ରସଙ୍ଗରେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିଛି ଓ କେତେ ପାଇବା କଥା ସେ ସମ୍ପର୍କରେ ମଧ୍ୟ ବିଷଦ ଆଲୋଚନା ହୋଇଛି।ବିଭିନ୍ନ ନୂଆ ରେଳଲାଇନ ବିଛାଇବl ସମ୍ପର୍କରେ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବର୍ତ୍ତମାନ ଯାହାଦିଅl ଯାଇଛି ରାଜ୍ୟ ହିସାବରେ ନୁହେଁ ତାହା ଜୋନ ହିସାବରେ ଦିଆଯାଇଛି ବୋଲି ରେଳ ମନ୍ତ୍ରୀକହିଛନ୍ତି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ରେଳ ଉଚ୍ଚପଦସ୍ତ ଅଧିକାରୀମନେ ଅନୁଧ୍ୟାନ କରି ଆସିବା ପରେ ,କେନ୍ଦ୍ର ସରକାର ଯାହାଦେବା କଥା ଦେବେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋୟଲ କହିଥିବା ବାଚସ୍ପତି ଶ୍ରୀ ପlତ୍ର କହିଥିଲେ। ପଟିଆ -ନନ୍ଦନକାନନ ପାଇଁ ଜମି ଅଧିଗ୍ରହଣ ସମ୍ପର୍କ ରେ ମଧ୍ୟ ଆଲୋଚନା ହୋଇଥିବା କହିଥିଲେ । ଆଲୋଚନା ସନ୍ତୋଷ ଜନକ ଥିଲା ବୋଲି ସୂଚନା ଦେଇଥିଲେ । ବିଧାନସଭାର ରେଳ ସମ୍ପର୍କିତ ଏହି ଗୃହ କମିଟିରେ ରାଜ୍ୟ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାରଣ୍ଡି, ଜଙ୍ଗଲ, ପରିବେଶ ଓ ସଂସଦୀୟ ଵିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖl,ଯୋଜନା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ବିଧାୟକ ଦେବୀପ୍ରସାଦ ମିଶ୍ର, ଅନନ୍ତଦାସ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦବାହିନୀପତି,ଭୂପେନ୍ଦର ସିଂ, ଶଶୀଭୁଷଣ ବେହେରା, ମକରନ୍ଦ ମୁଦୁଲି ପ୍ରମୁଖ ଦିଲ୍ଲୀ ଗସ୍ତରେ ଆସିଥିବା ବେଳେ ଦିଲ୍ଲୀରେ ସାଂସଦ ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି, ସୋମ୍ୟରଞ୍ଜନ ପଟନାୟକ ପ୍ରମୁଖ ଏଥିରେ ଯୋଗଦେଇ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।





















