ନୂଆଦିଲ୍ଲୀ,୬।୨(ଡି.ଏଚ): ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜ୍ଞାପନ କରିବାକୁ ଯାଇ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି: ମାନ୍ୟବାର ରାଷ୍ଟ୍ରପତି ନୂଆ ଭାରତ ପରିକଳ୍ପନା ଉପରେ ଆଲୋକପାତ କରିଥିଲେ । ଆମେ ଏ ଶତାବ୍ଦୀର ତୃତୀୟ ଦଶନ୍ଧିରେ ପ୍ରବେଶ କରୁଥିବା ବେଳେ ସେ ଅଭିଭାଷଣ ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଶାର ଉଚ୍ଛ୍ୱାସ ଭରିବା ସହ ଆଗାମୀ ଦିନରେ ଦେଶକୁ ଆଗେଇ ନେବା ନିମନ୍ତେ ରାସ୍ତାର ନକ୍ସା ଉପସ୍ଥାପନ କରୁଛି। ଧନ୍ୟବାଦ ଭାଷଣରେ ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ଭାରତବାସୀ କେବଳ ସରକାର ପରିବର୍ତ୍ତନ କରି ନାହାନ୍ତି, ସେମାନେ ‘ସରୋକାର’କୁ ମଧ୍ୟ ପରିବର୍ତ୍ତନ କରାଇବାକୁ ଚାହିଁଛନ୍ତି। ଆମେ ଯଦି ପୁରାତନ ଧାରା ଓ ପ୍ରକ୍ରିୟାରେ ଚାଲି ଥାଆନ୍ତୁ ଧାରା ୩୭୦ କଦାପି ଇତିହାସ ହୋଇ ନ ଥାନ୍ତା। ତିନ୍ ତଲାକ୍ ଯୋଗୁଁ ମୁସଲମାନ ମହିଳାମାନେ ନିର୍ଯାତନା ଭୋଗୁ ଥାଆନ୍ତେ।





















