ବେଜିଂ,୪।୨(ଡି.ଏଚ): ଚୀନ୍ରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ସାର୍ସ ମୃତ୍ୟୁ ସଂଖ୍ୟାକୁ ଟପିଯାଇଛି। ବର୍ତ୍ତମାନ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁସଂଖ୍ୟା ୩୬୦ ଟପି ଯାଇଛି। ଦିନକୁ ଦିନ ସ୍ଥିତି ବିଗିଡ଼ି ଯାଉଥିବାରୁ ଚୀନ୍ ସ୍ଥିତି ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନୁଆ ହସ୍ପିଟାଲ୍ ନିର୍ମାଣ କରୁଛି। ଚୀନ୍ ମାତ୍ର ୮ ଦିନରେ ଉହାନ୍ରେ ଗୋଟିଏ ନୂଆ ହସ୍ପିଟାଲ୍ ନିର୍ମାଣ କରିଛି। ୧୦୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ ଚୀନ୍ର ହୁବେଇ ପ୍ରଦେଶରେ ନିର୍ମାଣ ହୋଇଛି। ହୋସେନସାନ୍ ହସ୍ପିଟାଲ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜିଠାରୁ ଏଠାରେ ଚିକିତ୍ସା ଆରମ୍ଭ ହୋଇଛି। ଏହି ହସ୍ପିଟାଲ୍ରେ ପିଏଲ୍ଏ ଜଏଣ୍ଟ୍ ଲଜିଷ୍ଟିକ୍ ସପୋର୍ଟ ଫୋର୍ସ୍ର ୯୫୦ ଜଣ, ସେନାର ମେଡିକାଲ ବିଶ୍ବବିଦ୍ୟାଳୟର ୪୫୦ ଜଣ ଏବଂ ପିଏଲ୍ଏ ନୌସେନା ଓ ବାୟୁସେନାର ଡାକ୍ତରଙ୍କ ସମେତ ସମୁଦାୟ ୧୪୦୦ ଜଣ ମେଡିକାଲ ଷ୍ଟାଫ୍ ରୋଗୀମାନଙ୍କୁ ଚିକିତ୍ସା କରିବେ। ଉହାନ୍ରେ ଅନ୍ୟ ଏକ ହସ୍ପିଟାଲ୍ ଏବେ ନିର୍ମାଣାଧୀନ ଅଛି। ତେବେ ଉହାନ୍ରେ ଏହି ୨ଟି ହସ୍ପିଟାଲ୍ ବାଦ୍ ଚୀନ୍ରେ ଅନ୍ୟ ସହରମାନଙ୍କରେ ମଧ୍ୟ ହସ୍ପିଟାଲ୍ ନିର୍ମାଣ ହେଉଥିବା ଜଣାପଡ଼ିଛି।




















