ସୁପ୍ରିମକୋର୍ଟରେ ପୋଲାଭରମ୍ ମାମଲା : ସପ୍ତାହେ ମହଲତ ମାଗିଲା ଓଡ଼ିଶା

282
ADVERTISEMENT

ନୂଆଦିଲ୍ଲୀ,୪।୨(ଡି.ଏଚ) : ବିବାଦୀୟ ପୋଲାଭରମ୍ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣି ଏକ ସପ୍ତାହ ଘୁଞ୍ଚାଇବା ନେଇ ଓଡ଼ିଶା ପକ୍ଷରୁ ଆଜି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଗତ ଶନିବାର ଦିନ ଆନ୍ଧ୍ରପ୍ରଦେଶ ପକ୍ଷରୁ ପୋଲାଭରମ୍ ପ୍ରକଳ୍ପ ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା। ଆସନ୍ତାକାଲି ବିଚାରପତି ଏନ ଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ହେବ। ଶୁଣାଣି ସମୟରେ ଷ୍ଟାଟସ୍‌ ରିପୋର୍ଟର ଜବାବ ଦାଖଲ ପାଇଁ ଧାର୍ଯ୍ୟ କରାଯାଇଥିବାରୁ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପ୍ରକଳ୍ପର ହେଡଵାର୍କର କାର୍ଯ୍ୟ ୫୮.୫୦ ପ୍ରତିଶତ, ଡାହାଣ ମୁଖ୍ୟ କେନାଲର କାର୍ଯ୍ୟ ୯୧.୬୯ ପ୍ରତିଶତ ଓ ବାମ ମୁଖ୍ୟ କେନାଲର କାର୍ଯ୍ୟ ୬୯.୯୬ ପ୍ରତିଶତ ଶେଷ ହୋଇଥିବାର ଉଲ୍ଲେଖ କରାଯାଇଛି। ପ୍ରକଳ୍ପର ୩୯.୮ ପ୍ରତିଶତ ଯୋଗାଯୋଗ କାର୍ଯ୍ୟ ସମାପ୍ତ ହୋଇଥିବାର ପ୍ରକଳ୍ପ ଅଗ୍ରଗତି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସଂଶୋଧିତ ବ୍ୟୟ ଅଟକଳ ଅନ୍ତର୍ଗତ ପ୍ରକଳ୍ପର ନିର୍ମାଣ ପାଇଁ ୫୫,୫୮୪.୮୭ କୋଟି ଟଙ୍କା ଖର୍ଚ୍ଚ ହେବ। ଜାନୁଆରୀ ୧୦, ୨୦୨୦ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୩୦.୬୦ ପ୍ରତିଶତ ହାରରେ ସମୁଦାୟ ୧୬,୯୯୬.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଆନ୍ଧ୍ରପ୍ରଦେଶ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ କୁହାଯାଇଛି।

Advertisement