ନୂଆଦିଲ୍ଲୀ,୩୦।୧(ଡିଏଚ) : ଭାରତରେ ଚିହ୍ନଟ ହୋଇଛି ପ୍ରଥମ କରୋନା ସଂକ୍ରମଣ। କେରଳର ଜଣେ ଛାତ୍ରଙ୍କଠାରେ ଏହି ମାରାତ୍ମକ କରୋନା ଭାଇରସ୍ ଚିହ୍ନଟ ହୋଇଛି। ଏ ସଂକ୍ରନ୍ତରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭାଇରସର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହାନରେ ପଢ଼ୁଥିବା କେରଳର ଛାତ୍ରଙ୍କ ଶରୀରରେ ଏହି ଭାଇରସ୍ ଚିହ୍ନଟ ହେବା ପରେ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି। ଡାକ୍ତରୀ ଦଳ ୨୪ଘଣ୍ଟା ତାଙ୍କର ନିରୀକ୍ଷଣ କରୁଛନ୍ତି।
ସୂଚନାଯୋଗ୍ୟ, ଏଯାବତ୍ ମାରାତ୍ମକ କରୋନା ଭାଇରସ୍ ଆକ୍ରାନ୍ତ ହୋଇ ୧୭୦ରୁ ଊର୍ଧ୍ୱ ଜଣ ପ୍ରାଣ ହରାଇଥିବା ବେଳେ ୨ହଜାରୁ ଉର୍ଧ୍ୱ ଜଣ ରୋଗାକ୍ରାନ୍ତ ହୋଇଥିବା କଥା ଗତ ସୋମବାର ଚୀନ୍ ପକ୍ଷରୁ ପ୍ରକାଶ ପାଇଥିଲା। ତେବେ କେରଳରେ ଏହି ମାରାତ୍ମକ ଭାଇରାସ୍ ଆକ୍ରାନ୍ତ ଛାତ୍ର ଜଣକ ଚୀନର ଉହାନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ନିକଟରେ କେରଳକୁ ଫେରିଥିଲେ। କେରଳ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ଚିକିତ୍ସା ପାଇଁ ହସ୍ପିଟାଲ ଯିବା ପରେ ତାଙ୍କ ଶରୀରରେ କରୋନା ଭାଇରସ୍ ଥିବା ଚିହ୍ନଟ ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।




















