ନିର୍ଭୟା ମାମଲା: ଦୋଷୀ ଅକ୍ଷୟ ସିଂହର କ୍ୟୁରେଟିଭ୍‌ ପିଟିସନ୍ ସୁପ୍ରିମ୍‌କୋର୍ଟରେ ଖାରଜ

330
ADVERTISEMENT

ନୂଆଦିଲ୍ଲୀ,୩୦।୧( ଡିଏଚ ): ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟା ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହର କ୍ୟୁରେଟିଭ ପିଟିସନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆର ଏଫ୍‌ ନରିମାନ, ଜଷ୍ଟିସ ଆର ଭାନୁମତି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ଏହି କ୍ୟୁରେଟିଭ୍‌ ପିଟିସନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି । ଗୁରୁବାର ମଧ୍ୟାହ୍ଣ ୧ଟା ବେଳେ ଏହି କ୍ୟୁରେଟିଭ୍‌ ପିଟିସନର ଶୁଣାଣି କୋର୍ଟରେ ନ ହୋଇ ବିଚାରପତିଙ୍କ ବ୍ୟକ୍ତିଗତ ଚ୍ୟାମ୍ବର ଭିତରେ ହୋଇଥିବା ଜାଣିବାକୁ ମିଳିଛି। ଆଜି ନିର୍ଭୟା ଦୋଷୀ ଅକ୍ଷୟ ସିଂହର କ୍ୟୁରେଟିଭ ପିଟିସନ୍ର ଶୁଣାଣି କରି ସର୍ବୋଚ୍ଚ ଅଦାଲତଙ୍କ ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀଙ୍କ ପିଟିସନରେ କୌଣସି ବଳିଷ୍ଠ ଆଇନସଂଗତ ଯୁକ୍ତି ନ ଥିବାରୁ ଏହାକୁ ଖାରଜ କରାଯାଉଛି। ଉଲ୍ଲେଖଯୋଗ୍ୟ, କ୍ୟୁରେଟିଭ ପିଟିସନ୍ ହେଉଛି ଜଣେ ଦୋଷୀ ନିକଟରେ ନିଜର ନିର୍ଦ୍ଦୋଷପଣିଆ ପ୍ରମାଣିତ କରିବାର ଶେଷ ବିକଳ୍ପ। ତେଣୁ ନିର୍ଭୟା ଦୁଷ୍କର୍ମ ଓ ହତ୍ୟାକାରୀ ଅକ୍ଷୟ ସିଂ ନିକଟରେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ। ସେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିପାରିବ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଅନ୍ୟ ୨ଜଣ ଦୋଷୀ ମୁକେଶ ସିଂହ ଓ ବିନୟ ଶର୍ମାଙ୍କ ପକ୍ଷରୁ ଆଗତ କ୍ୟୁରେଟିଭ୍‌ ପିଟିସନର ଶୁଣାଣି କରି ଏହି ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜାନୁଆରି ୧୪ ତାରିଖରେ କ୍ୟୁରେଟିଭ୍‌ ପିଟିସନକୁ ଖାରଜ କରିଦେଇଥିଲେ। ଏହାପରେ ଦୋଷୀ ମୁକେଶ ସିଂହ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଏହାକୁ ମଧ୍ୟ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ। ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜକୁ ଚାଲେଞ୍ଜ କରି ମୁକେଶ ପୁନର୍ବାର ଆଉ ଏକ ପିଟିସନ ସୁପ୍ରିମ୍‌ କୋର୍ଟରେ ଆଗତ କରିଥିଲା। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିବା ପରେ ଆଜି ଏହାକୁ ଖାରଜ କରି ଦେଇଛନ୍ତି।

Advertisement