ନୂଆଦିଲ୍ଲୀ,୨୧।୧(ଡି.ଏଚ) : ସାମ୍ବାଦିକତା ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଆଉ ଏପରି ସଙ୍କଟ ସମୟରେ ମିଥ୍ୟା ଖବର ଆତଙ୍କ ଭାବେ ଉଭା ହୋଇଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର କହିଛନ୍ତି। ରାମନାଥ ଗୋଏଁକା ଉତ୍କୃଷ୍ଟ ସାମ୍ବାଦିକତା ପୁରସ୍କାର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ମିଥ୍ୟା ଖବର ଯୋଗାଣକାରୀମାନେ ନିଜକୁ ସାମ୍ବାଦିକ ବୋଲି ଦାବି କରିବା ସହିତ ସାମ୍ବାଦିକତା ଭଳି ମହାନ ବୃତ୍ତିକୁ କଳଙ୍କିତ କରୁଛନ୍ତି। ସେ କହିଛନ୍ତି ସାମାଜିକ ଓ ଅର୍ଥନୈତିକ ଅସମାନତା ସମ୍ପର୍କିତ ଖବରକୁ ତୁଚ୍ଛ ମନେ କରାଯାଉଥିବା ବେଳେ ଜନତାଙ୍କ ଦୃଷ୍ଟିଗୋଚର ହେବା ଓ ରେଟିଙ୍ଗସ୍ ଉଦ୍ଦେଶ୍ୟରେ ଏପରି ଅପ୍ରାସଙ୍ଗିକ ଖବରକୁ ଅଧିକ ଗୁରୁତ୍ବ ଦିଆଯାଉଛି। ବ୍ରେକିଙ୍ଗ ନ୍ୟୁଜ୍ ବା ତ୍ବରିତ ଖବର ପ୍ରକାଶ କରିବା ଉଦ୍ଦେଶ୍ୟରେ ସଂଯମତା ଓ ଦାୟିତ୍ବବୋଧ ଭଳି ମୌଳିକ ନୀତି ଓ ଆଦର୍ଶକୁ ଉପେକ୍ଷା କରାଯାଉଛି ବୋଲି ସେ କହିଛନ୍ତି। ପୁରୁଣା ସମୟର ସାମ୍ବାଦିକମାନେ ଖବର ପ୍ରକାଶ ପୂର୍ବରୁ (କଣ, କେବେ, କାହିଁକି, କେଉଁଠାରେ, କିଏ ଓ କିପରି) ମୌଳିକ ତଥ୍ୟ ଉପରେ ଗୁରୁତ୍ବ ଦେଉଥିଲେ। ଏହି ସବୁ ତଥ୍ୟ ଏକ ଖବର ପାଇଁ ଅତ୍ୟନ୍ତ ଜରୁରୀ। ଏହା ଖବରର ମାନ ବୃଦ୍ଧି କରିଥାଏ। ମାତ୍ର ବର୍ତ୍ତମାନ ସମୟର ମିଥ୍ୟା ଖବର ପ୍ରକାଶ ସମୟରେ ଏହିସବୁ ମୌଳିକ ତଥ୍ୟକୁ ଖବର ଯୋଗାଣକାରୀମାନେ ଆବଶ୍ୟକତା ମନେ କରୁନାହାନ୍ତି ଓ ନିଜକୁ ସାମ୍ବାଦିକ ବୋଲି ଦାବି କରୁଛନ୍ତି।




















