ନୂଆଦିଲ୍ଲୀ,୨୧ା୧(ଡି.ଏଚ): ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କୁ କେତେକ ଉପାଦେୟ ପରାମର୍ଶ ଦେଇଛନ୍ତି। ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଭୟ ଦୂର କରିବାକୁ ଓ ଅଭିଭାବକମାନଙ୍କ ବୋଝ ହାଲୁକା କରିବାକୁ ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରିଛନ୍ତି। ଅସ୍ଥାୟୀ ଅସଫଳତାକୁ ନେଇ ଭାଙ୍ଗିପଡ଼ିବା ଉଚିତ ନୁହେଁ ବୋଲି ତଲକତୋରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦି କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଆଧୁନିକ ପ୍ରଯୁକ୍ତି ବିଷୟରେ ସମସ୍ତେ ଜ୍ଞାନ ଆହରଣ କରିବା ଆବଶ୍ୟକ। ତେବେ ତାହା ଯେପରି ଆମ ଜୀବନକୁ ନିୟନ୍ତ୍ରଣ ନ କରେ ସେଥିପ୍ରତି ସଚେତନ ହେବା ଜରୁରୀ। ପ୍ରଯୁକ୍ତି ସମ୍ପର୍କରେ ଖାଲି ଜାଣିବା ଯଥେଷ୍ଟ ନୁହେଁ, ତାକୁ କାମରେ ଲଗାଇବା ଗୁରୁତ୍ୱପୂର୍ଣ୍ଣ। ତେବେ ପ୍ରଯୁକ୍ତିର ଦାସ ନ ହେବାକୁ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଯୁକ୍ତିକୁ ନିୟନ୍ତ୍ରଣରେ ରଖିବା ଏବଂ ଏହା ଯେପରି ସମୟ ବରବାଦ ନ କରେ ସେଥିପ୍ରତି ସତର୍କ ହେବାକୁ ପଡ଼ିବ। ଘରେ ଗୋଟିଏ ପ୍ରଯୁକ୍ତିମୁକ୍ତ କକ୍ଷ ରହିବା ଆବଶ୍ୟକ ବୋଲି ମୋଦି କହିଥିଲେ।




















