ଘାଟି ତଳକୁ ଖସିଲା ଟେମ୍ପୋ; ୧୧ ମୃତ; ୫ ଗୁରୁତର

150
ADVERTISEMENT

ନୂଆଦିଲ୍ଲୀ, ୨୭/୬(ଡ଼ିଏଚବି): ଆଜି ଦକ୍ଷିଣ କଶ୍ମୀରର ସୋପିଆନ୍‌ ଜିଲ୍ଲାର ଐତିହାସିକ ମୋଗଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ୧୧ଜଣ ଶିକ୍ଷାର୍ଥୀ ପ୍ରାଣ ହରାଇଛନ୍ତି। ପିକ୍‌ନିକ୍‌ ଯାଉଥିବା କମ୍ପ୍ୟୁଟର ଛାତ୍ରଛାତ୍ରୀଙ୍କ ଟେମ୍ପୋ ଘାଟିରୁ ଖସି ପଡ଼ିବାରୁ ଉକ୍ତ ୧୧ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯ଜଣ ଛାତ୍ରୀ ମଧ୍ୟ ଅଛନ୍ତି। ଦୁର୍ଘଟଣାରେ ଆହତ ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଟେମ୍ପୋଟି ପୁଞ୍ଚରୁ ସୋପିଆନ୍‌ ଯାଉଥିଲା। ଟେମ୍ପୋରେ ଏକ ଘରୋଇ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ପିକ୍‌ନିକ୍‌ ପାଇଁ ସୁର୍ଣ୍ଣାକୋଟେରୁ ଧୋବିଜନ ଯାଉଥିଲେ। ହେଲେ ଲାଲ ଗୁଲାମ ନିକଟ ରାସ୍ତାରେ ଟେମ୍ପୋଟି ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସି ପଡ଼ିଥିଲା।

ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଆହତ ୫ଜଣଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଶ୍ରୀନଗରସ୍ଥିତ ଏସ୍‌ଏମଏସ୍‌ଏଚ୍‌ ହସ୍ପିଟାଲ୍‌ରେ ବର୍ତ୍ତମାନ ଭର୍ତ୍ତି କରାଯାଇଛି। ଜାମୁ- କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

Advertisement