ଗୃହରେ ଭିଡ଼ହିଂସା, ଶିଶୁମୃତ୍ୟୁ ତାତି

183
ADVERTISEMENT

ନୂଆଦିଲ୍ଲୀ,୨୭/୬(ଡ଼ିଏଚବି): ଭାଜପା ଶାସିତ ଝାଡ଼ଖଣ୍ଡସ୍ଥିତ ଷଢ଼େଇକଳା-ଖରସୁଆଁ ଜିଲାର ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଚୋରି ସନ୍ଦେହରେ ଧରି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ପରେ ପିଟିପିଟି ମାରିଦେବା ଘଟଣାକୁ ନେଇ ବିବାଦ ଥମୁନାହିଁ। ଏହି ଭିଡ଼ହିଂସାର ତାତି ବୁଧବାର ପାର୍ଲାମେଣ୍ଟରେ ଅନୁଭୂତ ହୋଇଛି। ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭାଙ୍ଗିଛନ୍ତି। ଏହି ଘଟଣା ତାଙ୍କୁ କଷ୍ଟ ଦେଇଛି। କିନ୍ତୁ ଏଥିପାଇଁ ରାଜ୍ୟକୁ ଦାୟୀ କରାଯିବା ଅନୁଚିତ ବୋଲି ମୋଦି କହିଛନ୍ତି। ସେହିପରି ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ୱରରେ ପ୍ରାୟ ଦେଢ଼ଶହ ଶିଶୁଙ୍କ ମୃତ୍ୟୁକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ବିବୃତି ରଖିଛନ୍ତି।
ଉଭୟ ଗୃହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଲୋକ ସଭାରେ ମଙ୍ଗଳବାର ଗୃହୀତ ହୋଇଥିବାବେଳେ ରାଜ୍ୟ ସଭାରେ ବୁଧବାର ଧ୍ୱନିମତରେ ପାରିତ ହୋଇଛି। ବିରୋଧୀ କଂଗ୍ରେସ ପକ୍ଷରୁ ଆଗତ ୨୦୦ରୁ ଊର୍ଦ୍ଧ୍ୱ ସଂଶୋଧନ ପ୍ରତ୍ୟାହୃତ ହେବା ପରେ ଉଚ୍ଚ ସଦନରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଘଣ୍ଟାଏ ଧରି ନିଜ ବକ୍ତବ୍ୟ ରଖି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୋଦି କହିଥିଲେ, ଭିଡ଼ହିଂସା ତାଙ୍କୁ ଯନ୍ତ୍ରଣା ଦେଇଛି। ଦୋଷୀଙ୍କୁ କାଠଗଡ଼ାକୁ ଟାଣି କଠୋରଦଣ୍ଡ ଦିଆଯିବା ଜରୁରୀ। ରାଜ୍ୟ ସଭାରେ କେତେଜଣ ସଦସ୍ୟ ଝାଡ଼ଖଣ୍ଡକୁ ଭିଡ଼ହିଂସାର କେନ୍ଦ୍ରସ୍ଥଳ ବୋଲି କହୁଛନ୍ତି, ଯାହାକି ଭୁଲ। ଏକ ରାଜ୍ୟକୁ ଅପମାନିତ କରିବା ଅଧିକାର କାହାରି ନାହିଁ। କିନ୍ତୁ ଦେଶରେ ଯେତିକି ଭିଡ଼ହିଂସା ଘଟୁଛି ତାହା ଝାଡ଼ଖଣ୍ଡ ହେଉକି ପଶ୍ଚିମବଙ୍ଗ ଅଥବା କେରଳ ସେଗୁଡ଼ିକୁ ସମାନ ଭାବେ ବିବେଚନା କରି ଆଇନକୁ ତା’ ବାଟରେ ଯିବାକୁ ଦିଆଯିବା ଉଚିତ। ପ୍ରତ୍ୟେକ ନାଗରିକଙ୍କ ନିରାପତ୍ତା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ।
ବିହାରରେ ଆକ୍ୟୁଟ୍‌ ଏନ୍‌ସେଫାଲିଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ବା ମସ୍ତିଷ୍କଜ୍ୱରରେ ଆକ୍ରାନ୍ତ ହୋଇ ଶିଶୁଙ୍କ ଗଣମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ। ସେ ଏହାକୁ ଏକ ଲଜ୍ଜାଜନକ ଏବଂ ୭ ଦଶନ୍ଧି ମଧ୍ୟରେ ସବୁଠୁ ବଡ଼ ବିଫଳତା ଭାବେ ଅଭିହିତ କରିବା ସହ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଏପରି ରୋଗ ଜୀବନ ନେଉଛି ବୋଲି କହିଥିଲେ। ମୋଦି ବକ୍ତବ୍ୟ ରଖିବାବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲି ନ ଥିଲେ। ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ବିଜୟକୁ ନେଇ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶର ଭୋଟରମାନଙ୍କୁ ଅପମାନିତ କରିଛି। ଇଭିଏମ୍‌ ଉପରେ ଏବଂ ଭାଜପାର ବିଜୟକୁ ନେଇ ବିରୋଧୀ ବ୍ୟବହାର କରୁଥିବା ଭାଷା ମତଦାତାଙ୍କୁ ମର୍ମାହତ କରିଛି ବୋଲି ସେ ସମାଲୋଚନା କରିଥିଲେ।

Advertisement