Wednesday, August 19, 2026
ADVERTISEMENT
Home ଜାତୀୟ ଏଣିକି ଘରୋଇ ସହାୟକ ପାଇବେ କର୍ମଚାରୀଙ୍କ ଭଳି ସୁବିଧା-ସୁଯୋଗ

ଏଣିକି ଘରୋଇ ସହାୟକ ପାଇବେ କର୍ମଚାରୀଙ୍କ ଭଳି ସୁବିଧା-ସୁଯୋଗ

328
ADVERTISEMENT

ନୂଆଦିଲ୍ଲୀ, ୨୬/୬(ଡ଼ିଏଚବି): କେନ୍ଦ୍ର ସରକାର ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ପରିଚାରିକା/ପରିଚାରକ, ଡ୍ରାଇଭରଙ୍କ ଭଳି ଶ୍ରମିକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଆଣିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏସମ୍ପର୍କରେ ଆଜି ସଂସଦରେ ସୂଚନା ଦେଇଛନ୍ତି। ସରକାରଙ୍କ ନୂଆ ପଲିସି ଦ୍ୱାରା ପ୍ରାୟ ୫୦ଲକ୍ଷ ଲୋକଙ୍କୁ ଫାଇଦା ମିଳିବ।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସରକାରଙ୍କ ଏହି ନୀତି ଅଧୀନରେ ପରିଚାରିକା/ପରିଚାରକ, ଡ୍ରାଇଭର ଆଦିଙ୍କୁ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଭଳି ସମସ୍ତ ପ୍ରକାର ସୁବିଧା ମିଳିବ। ସେମାନଙ୍କୁ ଇଏସ୍‌ଆଇ, ଇପିଏଫ୍‌, ସବେତନ ଛୁଟି, ମାତୃତ୍ୱ ଛୁଟିଭଳି ସୁବିଧା ସବୁକୁ ଉପଲବ୍ଧ କରାଯିବ। ଉଲ୍ଲେଖ କରାଯାଇପାରେ ଯେ, ୨୦୧୫ରେ ସର୍ବପ୍ରଥମେ ‘ନ୍ୟାଶନାଲ ପଲିସି ଫର୍‌ ଡୋମେଷ୍ଟିକ୍‌ ଓ୍ବର୍କର୍ସ’ ଶୀର୍ଷକ ଏକ ରିପୋର୍ଟ ଆସିଥିଲା। ଏଥିରେ ଘରୋଇ ସହାୟକମାନଙ୍କୁ ସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଭଳି ସମସ୍ତ ସୁବିଧା ପ୍ରଦାନ କରିବାକୁ ସୁପାରିସ୍‌ କରାଯାଇଥିଲା। ଏହି ନୀତି ଲାଗୁ ହେବାପରେ ମାଲିକଙ୍କ ପକ୍ଷରୁ ଘରୋଇ ପରିଚାରକ, ଡ୍ରାଇଭରଙ୍କୁ ଅଧିକ ଦରମା ଦେବାକୁ ପଡିବ ଏବଂ ଦସ୍ତାବେଜ୍‌ ପ୍ରସ୍ତୁତ କରିବାକୁ ହେବ। ସେଥିପାଇଁ ଗତ ୪ବର୍ଷ ହେଲା ଏହାକୁ ସମସ୍ତ ଆଡୁ ବିରୋଧ କରାଯିବା କାରଣରୁ ସରକାର ଏହି ପ୍ରସ୍ତାବକୁ ଲାଗୁ କରିପାରୁ ନଥିଲେ।

ତେବେ, ଗଙ୍ଗଓ୍ବାର କହିଛନ୍ତି ଯେ, ଘରୋଇ ସହାୟକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଫର୍ମାଟ୍‌ ପ୍ରସ୍ତୁତ ହୋଇସାରିଛି। ଏହା ବର୍ତ୍ତମାନ ବିଚାରାଧୀନ ରହିଛି। ସେମାନଙ୍କୁ ରେଜିଷ୍ଟ୍ରେଶନ କରାଯିବା ସହ ବୈଧ କର୍ମଚାରୀ ଭାବେ ସମସ୍ତ ଅଧିକାର ଦିଆଯିବ। ଏଥିସହିତ ଘରୋଇ ସହାୟକମାନଙ୍କୁ ନିଜସ୍ବ ସଂଗଠନ ଏବଂ ୟୁନିୟନ ଗଠନ କରିବାକୁ ଅଧିକାର ମିଳିବ। ଏହାଦ୍ୱାରା ସହାୟକ, ଡ୍ରାଇଭରଙ୍କୁ ସର୍ବନିମ୍ନ ବେତନ ଅଧିକାର, ସାମାଜିକ ସୁରକ୍ଷା ଯୋଜନାର ଲାଭ ହାସଲ କରିବା ତଥା ଦୁର୍ବ୍ୟବହାର, ନିର୍ଯାତନା, ହିଂସା ଆଦିଠାରୁ ସେମାନଙ୍କୁ ସୁରକ୍ଷା ମିଳିବ। ପ୍ରସ୍ତାବରେ କୁହାଯାଇଛି ଯେ, ଘରୋଇ ସହାୟକଙ୍କୁ ନିଯୁକ୍ତି ପ୍ରଦାନ ନେଇ ଗଠିତ ହେବାକୁ ଥିବା ପ୍ଲେସମେଣ୍ଟ ଏଜେନ୍ସିଙ୍କୁ ନିୟନ୍ତ୍ରିତ କରାଯିବ। ସେମାନଙ୍କୁ ଅଦାଲତ ତଥା ଟ୍ରିବ୍ୟୁନାଲ ସେବାର ଲାଭ ଯେପରି ମିଳିବ ସେ ଦିଗରେ ସୁବିଧା ପ୍ରଦାନ କରାଯିବ। ଏହାଛଡ଼ା ଘରୋଇ ସହାୟକଙ୍କ ଦକ୍ଷତା ମଧ୍ୟ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ। ସୂଚନାଥାଉ କି, ବର୍ତ୍ତମାନ ଦେଶରେ ଘରୋଇ ସହାୟକଙ୍କ ଲାଗି କୌଣସି ନିୟମକାନୁନ ନାହିଁ। ଲୋକେ ନିଜ ଇଚ୍ଛାରେ ମାଲିକଙ୍କ ଘରେ କାମ କରିଥାନ୍ତି। ତାଙ୍କର ବେତନ, ଛୁଟି ଆଦି ମାଲିକଙ୍କ ମର୍ଜିରେ ଚାଲେ ଅଥବା ପାରସ୍ପରିକ ବୁଝାମଣାରେ ହୋଇଥାଏ।

Advertisement