Saturday, September 5, 2026
ADVERTISEMENT
Home ଜାତୀୟ ଜଗନ ରେଡ୍ଡୀଙ୍କ ଆଦେଶରେ ଚନ୍ଦ୍ରବାବୁ ନାଇଡୁ ତିଆରି କରାଇଥିବା ଅଟ୍ଟାଳିକା ଭାଙ୍ଗିଲା ଜେସିବି

ଜଗନ ରେଡ୍ଡୀଙ୍କ ଆଦେଶରେ ଚନ୍ଦ୍ରବାବୁ ନାଇଡୁ ତିଆରି କରାଇଥିବା ଅଟ୍ଟାଳିକା ଭାଙ୍ଗିଲା ଜେସିବି

659
ADVERTISEMENT



ଅମରାବତୀ, ୨୬/୬(ଡ଼ିଏଚବି): ଆନ୍ଧ୍ର ପ୍ରଦେଶର ଅମରାବତୀ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଅମଳରେ ନିର୍ମିତ ଅଟ୍ଟାଳିକାକୁ ଏବକାର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଆଦେଶରେ ଜେସିବି ଲଗାଇ ମଙ୍ଗଳବାର ରାତିରୁ ଭାଙ୍ଗି ଦିଆଯାଉଛି। ‘ପ୍ରଜା ବେଦିକ’ ସଭାଗୃହ ନାମକ ସେ ଅଟ୍ଟାଳିକା ଆନ୍ଧ୍ର ପ୍ରଦେଶ କ୍ୟାପିଟାଲ୍‌ ରିଜନ୍‌ ଡେଭେଲପ୍‌ମେଣ୍ଟ୍‌ ଅଥରିଟିଙ୍କ ଦ୍ୱାରା କୃଷ୍ଣାନଦୀର ଶଯ୍ୟାରେ ତଥା ତେଲୁଗୁ ଦେଶମ୍‌ ପାର୍ଟିର ମୁଖ୍ୟ ତଥା ସମ୍ପ୍ରତି ବିରୋଧୀ ଦଳର ନେତା ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଘର ନିକଟରେ ଅବସ୍ଥିତ। ୨୦୧୫ରେ ଏହାର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୧୦ କୋଟି ଟଙ୍କା।

ସେ ପ୍ରଜା ବେଦିକାର ଗୋଟାଏ ଭାଗରେ ରହିଛି ତେଲୁଗୁ ଦେଶମ୍‌ ପାର୍ଟିର ମୁଖ୍ୟଙ୍କ ବାସଭବନ। ଏହାକୁ ଭାଙ୍ଗିବା ଆରମ୍ଭ କରିବା ବେଳେ ସେ ସେଠାରେ ଉପସ୍ଥିତ ଥିଲେ। ଛଅଟି ଟ୍ରକ୍‌, ୩୦ ଜଣ ଶ୍ରମିକ ଏବଂ ଗୋଟାଏ ଜେସିବି ମେସିନ୍‌ ଦ୍ୱାରା ମଙ୍ଗଳବାର ରାତିରୁ ସେ ଅଟ୍ଟାଳିକା ଭାଙ୍ଗିବା କାମ ଆରମ୍ଭ ହୋଇଛି। ସରକାରୀ ଅଟ୍ଟାଳିକାଟି ନିୟମ ଉଲ୍ଲଘଂନ କରି ନିର୍ମାଣ କରାଯାଇଛି ଏବଂ ସେଥିରେ ଦୁର୍ନୀତି ମଧ୍ୟ ହୋଇଥିବା କଥା କହି ତାହାକୁ ଭାଙ୍ଗିବା ପାଇଁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗମୋହନ ରେଡ୍ଡୀ ଆଦେଶ ଦେଇଥିଲେ। ଭାଙ୍ଗିବା କାମ ସମ୍ପୂର୍ଣ୍ଣ ହେବାକୁ ଆଉ ଦିନେ କିଂବା ଦୁଇ ଦିନ ଲାଗିବ।



Advertisement